ପୁଟିନଙ୍କୁ ଘାରିଛି ଦେଶର ଜନସଂଖ୍ୟା ଚିନ୍ତା । ଜନସଂଖ୍ୟା ବଢାଇବାକୁ ଆରମ୍ଭ କଲେ ‘ମଦର ହିରୋଇନ୍’ ଯୋଜନା. ୧୦ ପିଲା ଜନ୍ମ କଲେ ମିଳିବ ୧୩ ଲକ୍ଷ ଟଙ୍କାର ପୁରସ୍କାର

241

କନକ ବ୍ୟୁରୋ : କୋଭିଡ ମହାମାରୀ ଏବଂ ୟୁକ୍ରେନ ସହ ଯୁଦ୍ଧ ଯୋଗୁ ଖାଲିଯେ ଋଷର ଅର୍ଥନୀତି ବାଧାପ୍ରାପ୍ତ ହୋଇଛି ତାହା ନୁହେଁ ଋଷର ଜନସଂଖ୍ୟା ମଧ୍ୟ ଦୃତ ଗତିରେ ହ୍ରାସ ପାଇଛି । ଯାହା ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଚିନ୍ତା ବଢାଇଦେଇଛି । ତେଣୁ ଦେଶର ଜନସଂଖ୍ୟା ବଢାଇବାକୁ ନୂଆ ଯୋଜନା ଆରମ୍ଭ କରିଛନ୍ତି ପୁଟିନ୍ । ଯେଉଁ ମହିଳାଙ୍କର ୧୦ ଅବା ତାଠାରୁ ଅଧିକ ପିଲା ଅଛନ୍ତି ସେମାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ପୁଟିନ୍ । ୧୦ ପିଲା ଥିବା ମହିଳାଙ୍କୁ ଏକ ଲକ୍ଷ ରୁବେଲ ଅର୍ଥାତ୍ ପ୍ରାୟ ୧୩ ଲକ୍ଷରୁ ଅଧିକ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ହେଲେ ଏଥିରେ ଏକ ସର୍ତ ରଖାଯାଇଛି । ୧୦ ତମ ସନ୍ତାନର ବୟସ ବର୍ଷଟେ ପୁରିଲେ ଏବଂ ବାକି ୯ ପିଲା ଜୀବୀତ ଥିଲେ ଉକ୍ତ ମହିଳା ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି କୁହାଯାଇଛି ।

 

ଜନସଂଖ୍ୟା ବଢାଇବାକୁ ଋଷର ଏହି ନୂଆ ଯୋଜନା ଉପରେ ଟାଇମ୍ସ ରେଡିଓକୁ ସୂଚନା ଦେଇଛନ୍ତି ଋଷର ସୁରକ୍ଷା ଏବଂ ରାଜନୈତିକ ରଣନୀତିକାର ଡକ୍ଟର ଜେନି ମାଥର୍ସ । ଏହି ଯୋଜନାର ନାଁ ରଖାଯାଇଛି ମଦର ହିରୋଇନ । ଏହି ନା ଅନୁସାରେ ୧୦ ଛୁଆ ଜନ୍ମ କରିପାରୁଥିବା ମାକୁ ହିରୋଇନର ଆଖା ଦିଆଯାଇଛି । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ତେବେ ଜନସଂଖ୍ୟା ବଢାଇବାକୁ ଋଷର ଏହି ପ୍ରୟାସ ଏବେର ନୁହେଁ, ୧୯୯୦ ମସିହାରୁ ଋଷ ଜନସଂଖ୍ୟା ବଢାଇବା ପାଇଁ ପ୍ରୟାସ ଜାରି ରଖିଛି । କିନ୍ତୁ କୋଭିଡ ମହାମାରୀ ଏବଂ ୟୁକ୍ରେନ୍ ସହ ଯୁଦ୍ଧ ଯୋଗୁ ଋଷର ଜନସଂଖ୍ୟାର ପ୍ରାପ୍ତ ବୟସ୍କ ଲୋକଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଇଛି । ଭବିଷ୍ୟତରେ ଯୁଦ୍ଧର ଆଶଙ୍କା ରହିଥିବାରୁ ଏହା ପୂର୍ବରୁ ନିଜକୁ ପ୍ରସ୍ତୁତ ରଖିବାକୁ ଋଷ ଏଭଳି ଯୋଜନା ଆରମ୍ଭ କରିଥିବା କୁହାଯାଉଛି ।