ମୃତ୍ୟୁ ପରେ ଅମର ହେଲେ ସିଆରପିଏଫ୍ ଯବାନ । କିଡନୀ ରୋଗରେ ଜୀବନ ହାରିବା ପରେ କୃଷ୍ଣଚନ୍ଦ୍ରଙ୍କ ଅଙ୍ଗଦାନ କଲେ ପରିବାର ଲୋକେ

767

କନକ ବ୍ୟୁରୋ : ସେ ଥିଲେ ଜଣେ ଯୋଦ୍ଧା । ଦେଶ ସେବା କରିବା ପାଇଁ କେତେବେଳେ କଶ୍ମୀରର ବରଫ ଆଚ୍ଛାଦିତ ପାହାଡ଼ରେ ତ ପୁଣି କେତେବେଳେ ମରୁଭୂମିରେ ଜାଗ୍ରତ ପ୍ରହରୀ ହୋଇ କାର୍ଯ୍ୟରତ ଥିଲେ ସିଆରପିଏଫ୍ ଯବାନ କୃଷ୍ଣଚନ୍ଦ୍ର ମହାଭୋଇ । ସିଆରପିଏଫରେ ହାବିଲଦାର ଥିଲେ କୃଷ୍ଣଚନ୍ଦ୍ର । ହେଲେ ଗତ ଦୁଇବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ଥିବା କୃଷ୍ଣଚନ୍ଦ୍ର ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

ନିଜେ ସିନା ଚାଲିଗଲେ, କିନ୍ତୁ ମୃତ୍ୟୁ ପରେ ବଞ୍ଚାଇ ଦେଉଛନ୍ତି ଦୁଇଜଣଙ୍କ ଜୀବନ । କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କ ଶରୀରର ଅଙ୍ଗଦାନ କରିବାକୁ ନିଷ୍ପତି ନେଇଥିଲେ ପରିବାର ଲୋକେ । କୃଷ୍ଣଚନ୍ଦ୍ରଙ୍କ ହୃତପିଣ୍ଡକୁ କୋଲକାତା ଓ ଲିଭରକୁ ମୁମ୍ବାଇ ନେବା ପାଇଁ ଆସିଛନ୍ତି ଡାକ୍ତରୀ ଟିମ୍ । ଭୁବନେଶ୍ୱର ସମ୍ ଅଲଟିମେଟ୍ ଡାକ୍ତରଖାନାରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଗ୍ରୀନ କରିଡରରେ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଅଣାଯିବ ଅଙ୍ଗ । ତେବେ ୪ ଘଣ୍ଟା ଭିତରେ କୋଲକାତାର ଜଣେ ରୋଗୀଙ୍କ ଶରୀରରେ ହୃତପିଣ୍ଡ ପ୍ରତ୍ୟାରୋପଣ କରାଯିବ କହିଛନ୍ତି ଡାକ୍ତରୀ ଦଳ ।

ଅନ୍ୟପଟେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁରେ ପୂରା ପରିବାର ନିସ୍ତବ୍ଧ ହୋଇଯାଇଛି । ସ୍ୱାମୀ ତ ଫେରିବେନି ବୋଲି ପତ୍ନୀ ବୁଝିସାରିଛନ୍ତି । ସେଥିପାଇଁ ମୃତ୍ୟୁ ପରେ ସେ ଯେପରି ଅନ୍ୟ କାହା ଶରୀରରେ ଜୀବିତ ରୁହନ୍ତୁ, ସେହି ଭାବନା ନେଇ ସ୍ୱାମୀଙ୍କ ଅଙ୍ଗଦାନ କରିବାକୁ ମନସ୍ଥ କରିଛନ୍ତି । କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ପରେ ବି ତାଙ୍କ ଅଙ୍ଗ ଆଉ କାହାର ଜୀବନ ବଞ୍ଚାଇବାର ଖବର ପରିବାର ପ୍ରତ୍ୟେକ ସଦସ୍ୟଙ୍କୁ ଶାନ୍ତି ଦେଇଛି ।