ଜ୍ଞାନବାପୀକୁ ମସଜିଦ କହିବା ଠିକ୍ ନୁହେଁ, ମସଜିଦ୍ ଭିତରେ ତ୍ରିଶୁଳ କ’ଣ କରୁଛି : ମୁଖ୍ୟମନ୍ତ୍ରୀ ଯୋଗୀ

389

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବାପୀ ମସଜିଦକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଜ୍ଞାନବାପୀକୁ ମସଜିଦ୍ କହିବା ଠିକ୍ ନୁହେଁ, ଏହା ସହ ଜ୍ଞାନବାପୀ ମସଜିଦ ମଧ୍ୟରେ ତ୍ରିଶୁଳ କଣ କରୁଛି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଯୋଗୀ କହିଛନ୍ତି କି ସେ ଉତ୍ତର ପ୍ରଦେଶରେ ୬ ବର୍ଷ ହେବ ସରକାର ଚଳାଉଛନ୍ତି । ଲୋକ ଦଙ୍ଗା ହେଉଛି ବୋଲି କହୁଛନ୍ତି ହେଲେ ରାଜ୍ୟର କୌଣସି ସ୍ଥାନରେ ଦଙ୍ଗା ହେଉନାହିଁ ବୋଲି ସେ କହିଛନ୍ତି । ଯୋଗୀ ତାଙ୍କ ବୟାନରେ କହିଛନ୍ତି କି ଅନ୍ୟ ରାଜ୍ୟ ଭଳି ଉତ୍ତର ପ୍ରଦେଶରେ ମଧ୍ୟ ପଞ୍ଚାୟତ, ଏନଏସି, ବିଧାନସଭା ଓ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି କିନ୍ତୁ ପଶ୍ଚିମବଙ୍ଗ ଭଳି ଏଠାରେ ଦଙ୍ଗା ହେଉନାହିଁ ।

ଜ୍ଞାନବାପୀ ମସଜିଦକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯୋଗୀ କହିଛନ୍ତି କି ଏହାକୁ ମସଜିଦ କହିବା ଉଚିତ ନୁହେଁ । ଭଗବାନ ଯାହାଙ୍କୁ ଦୃଷ୍ଟିଶକ୍ତି ଦେଇଛନ୍ତି ସେମାନେ ଦେଖିବା ଦରକାର କି ମସଜିଦ୍ ମଧ୍ୟରେ ତ୍ରିଶୁଳ କାହିଁକି ରହିଛି । ଏହାସହ ମସଜିଦ ଭିତରେ କିଭଳି ଜ୍ୟୋର୍ତିଲିଙ୍ଗ ରହିଲା ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।

କେବଳ ଜ୍ଞାନବାପୀ ମସଜିଦ ନୁହେଁ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ମଧ୍ୟ ବର୍ଷିଛନ୍ତି ଯୋଗୀ । ସେ କହିଛନ୍ତି ଯେଭଳି ଭାବେ ପଶ୍ଚିମବଙ୍ଗରେ ବିରୋଧୀଦଳର ନେତା ଓ କର୍ମୀଙ୍କୁ ହତ୍ୟା କରାଯାଉଛି । ଏହା ଉପରେ ବିରୋଧୀ ମେଣ୍ଟ ଚୁପ ରହିବା ସହ ୧୯୯୦ ମସିହାରେ କାଶ୍ମୀରରେ ଯାହା ଚାଲିଥିବା ତାହା ଉପରେ ଆଜିର ବିରୋଧୀ ମେଣ୍ଟ ସେତେବେଳେ କାହିଁକି ଚୁପ୍ ରହିଥିଲା ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।