‘ଭାରତରୁ ଉଠାଇବୁ ବିଶ୍ୱକପ’: ହାରିକି ବି ମୁହଁ ଟାଣ ଦେଖାଇଲେ ସୋଏବ 

155

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ହେଉଥିବା ଟି-୨୦ ବିଶ୍ୱକପ ଶେଷ ହୋଇଯାଇଛି । ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ ହୋଇଛି । ପାକିସ୍ତାନ ପରାଜିତ ହେବା ପରେ ବିଚଳିତ ହେଉଛନ୍ତି ପୂର୍ବ ପାକିସ୍ତାନୀ କ୍ରିକେଟର । ଆଉ ପରାଜୟ ପରେ ବି ମୁହଁ ଟାଣ କରି ପ୍ରତିକ୍ରିୟା ରଖିଛନ୍ତି ସୋଏବ ଅଖତର । ସେ କହିଛନ୍ତି, ଆସନ୍ତା ବର୍ଷ ଭାରତରେ ଦିନିକିଆ ବିଶ୍ୱକପ ଆୟୋଜନ ହେବ । ଆଉ ଭାରତରେ ହିଁ ଆମେ ବିଶ୍ୱକପ ଉଠାଇବୁ । ଏଥିରୁ କିଛି ମାତ୍ରାରେ ସ୍ପଷ୍ଟ ହେଲା ଯେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ପାକିସ୍ତାନ ଖେଳୁ ବୋଲି ଆଶାବାଦୀ ଅଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ।

ରାୱଲ ପିଣ୍ଡି ଏକ୍ସପ୍ରେସ ନାଁରେ ଜଣାଶୁଣା ସୋଏବ ଅଖତର ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି । ଆଉ ଏଥିରେ ସେ କହିଛନ୍ତି କି ପାକିସ୍ତାନ ଟିମ ଫାଇନାଲରେ ହାରିଛି, ଏଥିରେ ମୁଁ ନିରାଶ ଅଛି । ସାଇନ ଆଫ୍ରିଦି ଆହତ ହେବା ଆମ ପାଇଁ ଟର୍ଣ୍ଣିଂ ପଏଣ୍ଟ ଥିଲା ହେଲେ କିଛି ନାହିଁ ଏହିଠାରୁ ମୁଣ୍ଡ ତଳକୁ କରିବାର ନାହିଁ । ୨୦୧୬ରେ ୫ ଛକା ଖାଇ ବେନ ଷ୍ଟୋକ୍ସ ଇଂଲଣ୍ଡକୁ ବିଶ୍ୱକପ ହରାଇଥିଲେ । ହେଲେ ଏବେ ୨୦୨୨ରେ ସେ ବିଶ୍ୱକପ ଜିତାଇଛନ୍ତି । ପାକିସ୍ତାନ ହାରିଛି ବୋଲି କଷ୍ଟ ହେଉଛି । ହେଲେ କିଛି କଥା ନାହିଁ, ଭାରତରେ କିନ୍ତୁ ଆମେ ବିଶ୍ୱକପ ଉଠାଇବୁ ।

ସେ ଆହୁରି କହିଥିଲେ କି, ପାକିସ୍ତାନ ବିଶ୍ୱକପ ହାରିଯାଇଛି ହେଲେ ଏଥିରେ ସେ ଭଲ ପ୍ରଦର୍ଶନ କରିଛି । ପୁରା ବିଶ୍ୱକପରେ ଭଲ ବୋଲିଂ କରି ପାକିସ୍ତାନ ଫାଇନାଲରେ ପହଞ୍ଚିଥିଲା । ଲକ ବି ସାଥ ଦେଇଥିଲା । ଭଲ ଖେଳି ପାକିସ୍ତାନ ଫାଇନାଲରେ ପହଞ୍ଚିଥିଲା । ତେଣୁ ଦୁଃଖ କରିବାରେ କିଛି ନାହିଁ । ଏମିତି କହି ପାକିସ୍ତାନ ଟିମର ମନୋବଳ ବଢାଇବା ସହ ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି ସୋଏବ ଅଖତର ।

ବିବାଦ କିଛି ଏମିତି ଥିଲା କି, ଆସନ୍ତା ବର୍ଷ ପାକିସ୍ତାନରେ ଏସିଆକପ ଆୟୋଜନ ହେବାର ଅଛି । ହେଲେ ଏହାକୁ ନେଇ ବିସିସିଆଇ ସଚିବ ଜୟ ଶାହା କହିଥିଲେ କି ଭାରତୀୟ ଟିମ ପାକିସ୍ତାନ ଗସ୍ତରେ ଯିବ ନାହିଁ । ଯାହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ରାଗିଯାଇଥିଲା । ଆଉ ଜବାବ ଦେବାକୁ ଯାଇ କହିଥିଲା କି ପାକିସ୍ତାନ ବି ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଖେଳିବାକୁ ଯିବ ନାହିଁ । ହେଲେ ପାକିସ୍ତାନକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ହିଁ ପଡିବ । ନହେଲେ ପାକିସ୍ତାନ ବିରୋଧରେ କଡା କର୍ଯ୍ୟାନୁଷ୍ଠାନ ନେଇପାରେ ଆଇସିସି ।

୨୦୨୨ ଟି-୨୦ ବିଶ୍ୱକପ ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଥିଲା । ପରେ ଗୋଟିଏ ପରେ ଗୋଟିଏ ମ୍ୟାଚରେ ଶାନଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ସହ ସେମିରେ ପ୍ରବେଶ କରିଥିଲା । ସେପଟେ ପାକିସ୍ତାନ ନିଜ ଲକ୍ ଯୋଗୁଁ ସେମିଫାଇନାଲରେ ପ୍ରବେଶ କରିଥିଲା । ହେଲେ ସେମିଫାଇନାଲରେ କିନ୍ତ ଭାରତ ନିରାଶ କରିଥିଲା ଆଉ ଇଂଲଣ୍ଡଠୁ ପରାସ୍ତ ହୋଇ ବିଶ୍ୱକପ ଯାତ୍ରା ଶେଷ କରିଥିଲା । ପାକିସ୍ତାନ କିନ୍ତୁ ସେମିଫାଇନାଲରେ ବିଜୟୀ ହୋଇ ଫାଇନାଲ ଖେଳିଥିଲା । ହେଲେ ପରାଜିତ ହୋଇଥିଲା । ତେଣୁ ଏବେ ୨୦୨୩ ବିଶ୍ୱକପ ଉପରେ ପାକିସ୍ତାନ ନଜର ପକାଇବା ସହ ଭାରତୀୟ ଟିମକୁ ଚ୍ୟାଲେଞ୍ଜ ଦେଇଛି ।