ହାଥରସ ଘଟଣା ପରେ ବି ଚେତିଲେନି ଅନୁଗାମୀ: ବାଗେଶ୍ୱର ଧାମରେ ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସମାବେଶରେ ବି ଜବରଦସ୍ତ ଭିଡ

189

କନକ ବ୍ୟୁରୋ: ହାଥରସ ଘଟଣାକୁ ୨ ଦିନ ନ ପୂରୁଣୁ ପୁଣି ଦେଶରେ ଆଉ ଜଣେ ବାବାଙ୍କ ପାଇଁ ଭିଡ଼ । ୟୁପି ପରେ ଏବେ ମଧ୍ୟପ୍ରଦେଶର ବାବା ଧରେନ୍ଦ୍ର ଶାସ୍ତ୍ରୀଙ୍କ ଏକ କାର୍ଯ୍ୟକ୍ରମକୁ ନେଇ ଆଲୋଚନା । ବିନା ସୁରକ୍ଷାରେ ଲକ୍ଷ ଲକ୍ଷ ଲୋକଙ୍କୁ ଡକାଯାଇ କାହିଁକି ସେମାନଙ୍କୁ ବିପଦ ମୁହଁକୁ ଠେଲାଯାଉଛି ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଏପଟେ ହାତରସ ଘଟଣାର ଅଭିଯୁକ୍ତ ଭୋଲେ ବାବା ଅଦୃଶ୍ୟ । ପୁଲିସ ବି ପାଉନି ବାବାଙ୍କ ଟେର୍ ।

ସାରା ଦେଶକୁ ଦୋହାଲାଇ ଦେଇଛି ଉତ୍ତରପ୍ରଦେଶ ହାଥରସର ଘଟଣା । ବାବାଙ୍କ ପାଦ ଧୂଳି ପାଇଁ ଅନୁଗାମୀଙ୍କ ଭିତରେ ଏମିତି ଦଳାଚକଟା ହେଲା ଯେ ୧୨୧ ଜୀବନ ଚାଲିଗଲା । ଏହି ଘଟଣା ବ୍ୟବସ୍ଥା ଭିତରେ ଥିବା ତ୍ରୁଟିକୁ ପଦାରେ ପକାଇଛି । ଏହାର ତଦନ୍ତ ଚାଲିଛି । କିନ୍ତୁ ଏହାରି ଭିତରେ ବାଗେଶ୍ବର ଧାମର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଜିନ୍ମଦିନର ଭିଡ଼ ଚିନ୍ତା ବଢାଇଛି । ଯେଉଁ ଭିଡ଼ ଶହ ଶହ ଲୋକଙ୍କ ଜୀବନ ନେଲା, ସାରା ଦେଶକୁ ଚିନ୍ତାରେ ପକାଇଲା ଏବେ ସେହିଭଳି ଏକ ଭିଡ଼ ବାଗେଶ୍ବର ଧାମରେ ଦେଖିବାକୁ ମିଳିଛି । ଅଘଟଣକୁ ଏଡାଇବା ପାଇଁ ବାଗେଶ୍ବର ଧାମରେ କଣ ବ୍ୟବସ୍ଥା ରହିଛି, ପ୍ରଶାସନ ଭିଡ଼ ହେବା ନେଇ ଅବଗତ ଥିଲା କି ଏସବୁ ତ ତର୍ଜମା ହେବା ଆବଶ୍ୟକ କିନ୍ତୁ ଯେଉଁ ଅନୁଗାମୀ ମାନେ ଆନୁଗତ୍ୟ ଦେଖାଇବାକୁ ଏହିପରି ଏକ ଭିଡ଼ରେ ସାମିଲ ହେଉଛନ୍ତି ଥରେ ହାଥରସ ଘଟଣାକୁ ମନେପକାଇବା ଉଚିତ । ଯେଉଁ ଆତ୍ମଘୋଷିତ ବାବାଙ୍କୁ ଦର୍ଶନ କରିବାକୁ ସେ ଦଳଚକଟା ଏଯାବତ ଫେରାର୍ ଅଛନ୍ତି । ୟୁପି ପୁଲିସ ଏବେ ତାଙ୍କୁ ଖୋଜୁଛି । ଘଟଣା ବାବଦରେ ଯଦିଓ ଏତଲା ହୋଇଛି କିନ୍ତୁ ବାବାଙ୍କ ନାଁ ସେଥିରେ ନ ରହିବା ବଡ଼ ସନ୍ଦେହ ସୃଷ୍ଟି କରିଛି । ଏପରି ସ୍ଥିତିରେ ଅନୁଗାମୀମାନେ ଥରେ ଚିନ୍ତା କରିବା ଉଚିତ । ଭିଡ଼ରେ ସାମିଲ ହୋଇ ଆନୁଗତ୍ୟ ଦେଖାଇବା କେତେ ଠିକ୍ । ଆଉ ହାଥରସ ଘଟଣାକୁ ନଜରରେ ରଖି ଧିରେନ୍ଦ୍ର ଶାସ୍ତ୍ରୀ ମଧ୍ୟ ନିଜ ଘରେ ରହି ପୂଜା କରିବାକୁ ନିବେଦନ କରିଛନ୍ତି ।

ଏପଟେ ଧରାପଡିଯିବା ଭୟରେ ନିଜ ଓକିଲକୁ ଆଗଆ ପଠାଇଛନ୍ତି ଅଭିଯୁକ୍ତ ବାବା । ଆଉ ସେ ଓକିଲ ଆଉ କେହି ନୁହଁନ୍ତି , ବହୁ ଚର୍ଚ୍ଚିତ ନିର୍ଭୟା ମାମଲା, ହାଥରସ ଗଣଦୁଷ୍କର୍ମ ଓ ପାକିସ୍ତାନୀ ନାଗରିକ ସୀମା ହୈଦରଙ୍କ ପକ୍ଷ ନେଇଥିବା ଏପି ସିଂହ । ନିଜକୁ ବଂଚାଇବାକୁ ଏପି ସିଂହଙ୍କ ଭଳି ବିବାଦୀୟ ଓକିଲଙ୍କୁ ଧରି ପକ୍ଷ ରଖିଛନ୍ତି ଭୋଲେବାବା ।

ସତସଙ୍ଗ ଆୟୋଜକଙ୍କ ଖାମଖିଆଲି ପାଇଁ ୧୨୧ ଜଣ ନୀରିହ ଲୋକଙ୍କ ଜୀବନ ଗଲା । ତଦନ୍ତ ପ୍ରକ୍ରିୟା ବି ଏବେ ସନ୍ଦେହରେ । ଏପରି ସ୍ଥିତିରେ ଧାର୍ମୀକ ସଭା ଗୁଡିକରେ ହେଉଥିବା ଭିଡରେ ଭକ୍ତ ଶ୍ରଦ୍ଧାଳୁ ଓ ଅନୁଗାମୀ ସାମିଲ ହେବା ପୂର୍ବରୁ ନିଜ ସୁରକ୍ଷା ବାବଦରେ ସଚେତନ ରହିବା ଆବଶ୍ୟକ ।