ବିଶ୍ବବିଜେତାଙ୍କ ବିଜୟ ଉତ୍ସବ: ମୁମ୍ବାଇରେ ଭିକ୍ଟ୍ରି ପରେଡ୍, ନୀଳ ରଙ୍ଗର ଖୋଲା ବସରେ ସହର ପରିକ୍ରମା କଲେ ଚାମ୍ପିୟନ୍ ଖେଳାଳି

171

କନକ ବ୍ୟୁରୋ: ଟି-୨୦ ବିଶ୍ବ ବିଜେତା ଟିମ୍ ଇଣ୍ଡିଆର ହୋଇଛି ଘରବାହୁଡ଼ା। ବାତ୍ୟା ଯୋଗୁଁ ସ୍ବଦେଶ ଫେରିବାରେ ଯଦିଓ ବିଳମ୍ବ ହୋଇଛି, କିନ୍ତୁ ଦିଲ୍ଲୀରେ ପହଂଚିବା ପରେ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ କରାଯାଇଥିଲା। ସକାଳେ ଦିଲ୍ଲୀରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ସମସ୍ତ ଖେଳାଳି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ସକାଳ ଜଳଖିଆ କରିଥିଲେ ରୋହିତବାହିନୀ। ସନ୍ଧ୍ୟାରେ ମୁମ୍ବାଇରେ ଖୋଲା ବସରେ ସହର ପରିକ୍ରମା କରିବା ପରେ ୱାଙ୍ଖଡେ ଷ୍ଟାଡିୟମକୁ ଯାଇଥିଲା ପୂରା ଟିମ।

ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସବୁ ଖେଳାଳିଙ୍କ ମୁହଁରେ ଥିବା ଏହି ଖୁସି ବୟାନ କରୁଛି, ବିଶ୍ବକପ୍ ଜିତିବାର ଅନୁଭୂତି ଥିଲା କେତେ ଖାସ। ବାତ୍ୟା ଯୋଗୁଁ ଯଦିଓ ସ୍ବଦେଶ ଫେରିବାରେ ଟିମ୍ ଇଣ୍ଡିଆକୁ ବିଳମ୍ବ ହୋଇଛି, କିନ୍ତୁ ଏହି ବିଳମ୍ବ ୧୪୦ କୋଟି ଭାରତୀୟଙ୍କୁ ଦେଖି ଅଦ୍ଭୁତ ଖୁସି। ଗୁରୁବାର ସକାଳେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବାସଭବନକୁ ଯାଇଥିଲା ଟିମ୍ ଇଣ୍ଡିଆ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଟି-୨୦ ବିଶ୍ବକପ୍ ଟ୍ରଫି ଧରାଇଥିଲେ କ୍ୟାପଟେନ୍ ରୋହିତ ଶର୍ମା ଓ କୋଚ୍ ରାହୁଲ ଦ୍ରାବିଡ। ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ବେଳେ ଖେଳାଳିଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହୋଇଯାଉଥିଲା। ଏହି ଅବସରରେ ମୋଦିଙ୍କ ସହ ବ୍ରେକଫାଷ୍ଟ ମଧ୍ୟ କରିଥିଲେ ଭାରତୀୟ ଟିମର ସଦସ୍ୟ। ବିଜୟ ପାଇଁ ଶୁଭେଛା ଜଣାଇବା ସହ ଭବିଷ୍ୟତରେ ଏହି ବିଜୟଧାରା ବଜାୟ ରଖିବା ନେଇ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଧନ୍ୟବାଦ ଜଣାଇଛନ୍ତି ଟିମର ସବୁ ସଦସ୍ୟ। ଟି-୨୦ ବିଶ୍ବକପରେ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିବା ଯଶପ୍ରୀତ ବୁମରା ଲେଖିଛନ୍ତି,

– ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ନିମନ୍ତ୍ରଣ ହେବା, ଆମ ପାଇଁ ସୌଭାଗ୍ୟର କଥା
– ଏଭଳି ଆତିଥ୍ୟ ପାଇଁ ଧନ୍ୟବାଦ

ସେହିପରି ବିସିସିଆଇ ତରଫରୁ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ଟି-ଶାର୍ଟ ପ୍ରଦାନ କରାଯାଇଛି। ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଓ ସଚିବ ଜୟ ଶାହା ଏହି ଉପହାର ପ୍ରଦାନ କରିଛନ୍ତି। ମୁମ୍ବାଇର ମରିନ୍ ଡ୍ରାଇଭ। ଟିମ୍ ଇଣ୍ଡିଆ ସଦସ୍ୟଙ୍କ ଟିକିଏ ଝଲକ ପାଇଁ ଜନସମୁଦ୍ର ପାଲଟି ଯାଇଥିଲା ମରିନ୍ ଡ୍ରାଇଭ। ହାତରେ ତ୍ରିରଙ୍ଗା, ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ ଫ୍ୟାନ୍। ମଝି ରାସ୍ତାରେ ନୀଳ ରଙ୍ଗର ସ୍ବତନ୍ତ୍ର ଖୋଲା ବସରେ ଯେତେବେଳେ ଚାମ୍ପିୟନ୍ ଟିମର ଶୋଭାଯାତ୍ରା ଚାଲିଥିଲା, ସେତେବେଳର ଦୃଶ୍ୟକୁ ଭୁରିଭୁରି ଉପଭୋଗ କରିଥିଲେ ପ୍ରଶଂସକ।

ଦୀର୍ଘ ୧୭ ବର୍ଷ ପରେ ଟି-୨୦ ବିଶ୍ବକପ୍ ଜିତି ଇତିହାସ ରଚିଛି ଭାରତ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇ ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ବିଶ୍ବକପ୍ ଜିତିବା ସହ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଟି-୨୦ ଯୁଗ ମଧ୍ୟ ଶେଷ ହୋଇଛି।