ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରୀ, ଜାଣନ୍ତୁ କେବେ ସୁଦ୍ଧା ସରିବ ନାମାଙ୍କନ

77

କନକ ବ୍ୟୁରୋ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପରେ ଆରମ୍ଭ ହେବ ଉପ ରାଷ୍ଟ୍ରପତି ପଦ ପାଇଁ ର୍ନିର୍ବାଚନ । ଏନେଇ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ମୁତାବକ ଆଜି ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଜୁଲାଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୨୦ ତାରିଖରେ ନାମାଙ୍କନ ପତ୍ର ଯାଂଚ ହେବ । ଏହାପରେ ଜୁଲାଇ ୨୨ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯାଇ ପାରିବ ବୋଲି ନିର୍ବାଚନ ଆୟୋଗ ତାଙ୍କ ବିଜ୍ଞପ୍ତିରେ କହିଛନ୍ତି । ଏହାପରେ ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । କହିରଖୁ କି ଏବେ ଉପ ରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବାକୁ ଯାଉଛି ।

କହିରଖୁ କି ହେବାକୁ ଯାଉଥିବା ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧିନ ଏନଡିଏ ପାଖରେ ବହୁମତ ରହିଛି । ଉପ ରାଷ୍ଟ୍ରପତିଙ୍କୁ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ ଦେବାକୁ ଥିବା ବେଳେ ଉଭୟ ଗୃହରେ ଏନଡିଏର ବହୁମତ ରହିଛି । ହେଲେ ଏନଡିଏ ପକ୍ଷରୁ ଏପର୍ଯ୍ୟନ୍ତ ଉପ ରାଷ୍ଟ୍ରପତି ପଦ ପାଇଁ କିଏ ପ୍ରାର୍ଥୀ ହେବ ତାହା ଘୋଷଣା କରାଯାଇ ନାହିଁ ।

କହିରଖୁ କି ଜଣେ ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ କରିବାକୁ ଚାହିଁଲେ ତାଙ୍କ ପାଖରେ ୨୦ ଜଣ ପ୍ରସ୍ତାବକ ଓ ୨୦ ଜଣ ଅନୁମୋଦକ ରହିଥିବା ଆବଶ୍ୟକ । ଜଣେ ଆଶାୟୀ ସର୍ବାଧିକ ୪ ସେଟ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଅନ୍ୟପଟେ ନିର୍ବାଚନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ବେଳେ ୧୫ ହଜାର ଟଙ୍କା ଜମାନତ ରାଶି ଦାଖଲ କରିବେ ।