ଭାଇଚାରାର ସହରରେ ନିଆରା ପରମ୍ପରା : ୨୫ ଫୁଟ ଲମ୍ବର ପତରରେ ଖାଇଲେ ଜାତି, ବର୍ଣ୍ଣ ନିର୍ବିଶେଷରେ ଲୋକେ; ଶତାଧିକ ବର୍ଷର ରହିଛି ପରମ୍ପରା

639

କନକ ବ୍ୟୁରୋ : କଟକ ଭାଇଚାରା ପରମ୍ପରା ର ଅନନ୍ୟ ପରମ୍ପରା ଶିଖରପୁର ସାହିର ରଜ ସଂକ୍ରାନ୍ତି ପଙ୍ଗତ । ଏ ପରମ୍ପରା ଶତାଧିକ ବର୍ଷ ପୁରୁଣା । ଶିଖରପୁର ସାହିସ୍ଥିତ ଜଗନ୍ନାଥ ମଠରେ ଗୁରୁବାର ଦିନ ଏହି ସ୍ୱତନ୍ତ୍ର ପଙ୍ଗତର ଆୟୋଜନ କରାଯାଇଥିଲା । ପ୍ରଥମେ ବାଣ ଫୁଟାଇ ରଜ ଉତ୍ସବ ପାଳନ କରାଯାଇଥିଲା ।

ତା ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ସମସ୍ତେ ଏକାଠି ବସି ପଙ୍ଗତରେ ଖାଇଥିଲେ । ଶିଆଳି ପତ୍ରକୁ ଯୋଡି ୫ ଫୁଟ ଚଉଡ଼ା ଓ ୨୫ ଫୁଟ ଲମ୍ବର ଗୋଟିଏ ପତ୍ର ପ୍ରସ୍ତୁତ କରାଯାଇଥିଲା । ସେଥିରେ ଖେଚୁଡି, ଡାଲି, ବେସନ-ପୋଟଳ ତରକାରୀ, ଖିରୀ ବଢା ଯାଇଥିଲା । ଏହି ପ୍ରସାଦକୁ ସମସ୍ତେ ବସି ଏକାଠି ଖାଇଥିଲେ । ପ୍ରସାଦ ସେବନ କରି ଜଣେ ଉଠି ଯିବା ପରେ ଅନ୍ୟମାନେ ସେହି ପତ୍ରରେ ବସି ପଙ୍ଗତରେ ଭୋଜନ କରିଥିଲେ ।

ଏହି ପଙ୍ଗତରେ ସ୍ଥାନୀୟ ଅଂଚଳର ଶତାଧିକ ଲୋକ ଏକାଠି ହୋଇ ଭୋଜନ କରିଥିଲେ । ବିଭିନ୍ନ କାରଣରୁ କିଛି ବର୍ଷ ଧରି ବନ୍ଦ ରହିଥିଲା । କିନ୍ତୁ ସ୍ଥାନୀୟ ଲୋକ ଚଳିତ ବର୍ଷ ପୁଣି ତାହାକୁ ଆରମ୍ଭ କରିଛନ୍ତି । ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ରଜ ଉତ୍ସବ ପାଳନ କରିବା ଓ ଗୋଟିଏ ପତ୍ରରେ ଖାଇବା ଘଟଣା ଏକ ଭିନ୍ନ ଦୃଶ୍ୟ ସୃଷ୍ଟି କରିଛି ।