ଲୋକସଭାରେ ଏପର୍ଯ୍ୟନ୍ତ ୨୭ ଥର ବିରୋଧୀ ଆଣିଛନ୍ତି ଅବିଶ୍ୱାସ ପ୍ରସ୍ତାବ, ଜାଣନ୍ତୁ କେତେ ଥର ସରକାର ଭାଙ୍ଗିବାରେ ସଫଳ ହୋଇଛନ୍ତି ବିରୋଧୀ

196

କନକ ବ୍ୟୁରୋ : ଲୋକତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇଥିବା ସରକାର ବିରୋଧରେ ବିରୋଧୀଦଳମାନଙ୍କ ପାଖରେ ପ୍ରତିବାଦ କରିବାର ଅଧିକାର ରହିଛି । ସଡକରୁ ନେଇ ସଂସଦ ପର୍ଯ୍ୟନ୍ତ ବିରୋଧୀଦଳମାନେ ସରକାରଙ୍କର ନୀତିକୁ ବିରୋଧ କରିବାର ଅଧିକାର ସମ୍ବିଧାନ ଦେଇଛି । ସଂସଦରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଭିନ୍ନ ଭିନ୍ନ ତରିକା ରହିଛି । ଏହି ତରିକା ମଧ୍ୟରୁ ଅବିଶ୍ୱାସ ପ୍ରସ୍ତାବ ଅନ୍ୟତମ । ଏହି ଅବିଶ୍ୱାସ ପ୍ରସ୍ତାବ ମାଧ୍ୟମରେ ବିରୋଧୀମାନେ ସରକାରଙ୍କୁ ଚେତାଇ ଦେବାକୁ ଚାହାଁନ୍ତି କି, ଲୋକମାନେ ସରକାରଙ୍କର ନୀତିକୁ ବିଶ୍ୱାସ କରୁନାହାଁନ୍ତି । ଏହି କ୍ରମରେ ଏବେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି । ତେବେ ଭାରତ ଇତିହାସରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଫଳରେ କେତେ ଥର ସରକାର ଭାଙ୍ଗିଛି ।

ଦେଶ ସ୍ୱାଧୀନତା ପାଇବା ଠାରୁ ଏପର୍ଯ୍ୟନ୍ତ ସଂସଦରେ ମୋଟ ୨୭ ଥର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ଏବେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ମିଶାଇଲେ ଏହା ୨୮ ଥର ହେବ । ସବୁଠାରୁ ଅଧିକ ଥର ଅବିଶ୍ୱାସ ପ୍ରସ୍ତାବ ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ବିରୋଧୀମାନେ ଆଣିଥିଲେ । ହେଲେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ବିରୋଧୀଦଳମାନେ ଲୋକସଭାରେ ୧୫ ଥର ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ ବି ସବୁଥର ଇନ୍ଦିରା ଗାନ୍ଧୀଙ୍କର ବିଜୟ ହୋଇଥିଲା । ହେଲେ ୩ଟି ସରକାର ଏଭଳି ଥିଲା ଯାହାକୁ ବିରୋଧୀମାନେ ଅବିଶ୍ୱାସ ପ୍ରସ୍ତାବ ଆଣି ଭାଙ୍ଗିବାରେ ସଫଳ ହୋଇଥିଲେ । ସୂଚନା ଥାଉକି ଲୋକସଭାର ନିୟମ ୧୯୮ କ୍ରମରେ ଅବିଶ୍ୱାସ ପ୍ରସ୍ତାବ ଆସିଲେ ତାହା ଉପରେ ଚର୍ଚ୍ଚା ଓ ଭୋଟିଂ ହୋଇଥାଏ । ଯଦି ଭୋଟିଂରେ ବିରୋଧୀଦଳକୁ ଅଧିକ ଭୋଟ ମିଳେ ତେବେ ପ୍ରଧାନମନ୍ତ୍ରୀ ସରକାର ଭାଙ୍ଗିବାକୁ ବାଧ୍ୟ ହୋଇଥାନ୍ତି ।

୧୯୯୦ ମସିହାରେ ଭି.ପି ସିଂ ମିଳିତ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ । ଏହି ସମୟରେ ବିରୋଧୀମାନେ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ । ଲୋକସଭାରେ ଚର୍ଚ୍ଚା ଓ ଭୋଟିଂ ହୋଇଥିଲା । ଏହି ସମୟରେ ରାମ ମନ୍ଦିର ପ୍ରସଙ୍ଗରେ ବିଜେପି ମିଳିତ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ଫଳରେ ସରକାର ଭାଙ୍ଗିଯାଇଥିଲା ।

ଭି,ପି ସିଂ ସରକାର ଭାଙ୍ଗିବାର ୭ ବର୍ଷ ପରେ ଅର୍ଥାତ ୧୯୯୭ ମସିହାରେ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କୁ ବି ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା । ୧୯୯୭ ଏପ୍ରିଲ ୧୧ ତାରିଖରେ ଏଚ.ଡି ଦେବେଗୌଡା ଅବିଶ୍ୱାସ ପ୍ରସ୍ତାବରେ ପରାଜିତ ହୋଇଥିଲେ । ଏଥିରେ ୨୯୨ ଜଣ ସାଂସଦ ସରକାରଙ୍କ ବିରୋଧରେ ଭୋଟ ଦେଇଥିଲେ ଓ ୧୫୮ ଜଣ ସାଂସଦ ସରକାରଙ୍କୁ ସମର୍ଥନ କରିଥିଲେ ।

ସବୁଠାରୁ ବଡ ରୋଚକ ଥିଲା ଅଟଳ ବିହାରୀ ବାଜପେୟୀଙ୍କ ସରକାର ଭାଙ୍ଗିବା ଘଟଣା । ଦେବେଗୌଡା ସରକାର ଭାଙ୍ଗିବା ପରେ ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀ ମିଳିତ ସରକାରର ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୯ ମସିହାରେ ତାଙ୍କୁ ବି ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା । ଏହି ଅବିଶ୍ୱାସ ପ୍ରସ୍ତାବରେ ବାଜପେୟୀ ସରକାର ଗୋଟିଏ ଭୋଟରେ ପରାଜିତ ହୋଇଥିଲା । ମିଳିତ ସରକାରରୁ ଏଆଇଏଡିଏମକେ ସମର୍ଥନ ପ୍ରତ୍ୟାହାର କରିବା ପରେ ଅଟଳ ସରକାରଙ୍କ ବିରୋଧରେ ବିରୋଧୀଦଳ ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ ।