ଜୋର ଧରିଲା ପିସିସି ସଭାପତି ବଦଳିବା ଚର୍ଚ୍ଚା: ଶରତ ପଟ୍ଟନାୟକ ଏଆଇସିସି ପାଖକୁ ଇସ୍ତଫାପତ୍ର ପଠାଇଦେଇଥିବା ଆଲୋଚନା

671

କନକ ବ୍ୟୁରୋ: ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବଦଳିବେ କି ପିସିସି ସଭାପତି ଶରତ ପଟ୍ଟନାୟକ । ଶରତ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର ଧରିବା ପରେ ବି ନା ଏ ନେଇ ଖୋଦ୍ ଶରତ କିଛି କହୁଛନ୍ତି ନା କେନ୍ଦ୍ରୀୟ ନେତୃତ୍ୱ । କଂଗ୍ରେସ ପ୍ରଦର୍ଶନକୁ ନେଇ ସାରା ରାଜ୍ୟରେ କଂଗ୍ରେସ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ଫଳାଫଳ ପରେ ଅନେକ ବିବାଦ ଶରତଙ୍କ ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଏଆଇସିସିର ନିଷ୍ପତି ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ନିର୍ବାଚନ ଫଳାଫଳ ପରଠୁ ଓଡ଼ିଶା ପିସିସ ସଭାପତି ବଦଳିବା ଚର୍ଚ୍ଚା ଜୋର ଧରିଛି । ଏପରିକି ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ଏଆଇସିସି ପାଖକୁ ଇସ୍ତଫାପତ୍ର ପଠାଇଦେଇଥିବା କୁହାଯାଉଛି । ହେଲେ ଏନେଇ ନା କେନ୍ଦ୍ରୀୟ ନେତୃତ୍ବ ସ୍ପଷ୍ଟ କରୁଛନ୍ତି ନା ନିଜେ ପିସିସି ସ୍ପଷ୍ଟ କିଛି କହୁଛନ୍ତି । ଆସନ୍ତା ୧୫ ତାରିଖରେ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନର ସମୀକ୍ଷା ପାଇଁ କେନ୍ଦ୍ରୀୟ କମିଟି ଆସୁଛନ୍ତି । ସେମାନେ ଓଡ଼ିଶାରୁ ଫେରି ରିପୋର୍ଟ ଦେବା ପରେ ଶରତ ପିସିସି ସଭାପତି ରହିବେ ନା ବିଦା ହେବେ ସ୍ପଷ୍ଟ ହେବ ବୋଲି କୁହାଯାଉଛି । ଅନ୍ୟପଟେ ଶରତ ପଟ୍ଟନାୟକ ଇସ୍ତଫା ପ୍ରସଙ୍ଗକୁ ନେଇ କିଛି ସ୍ପଷ୍ଟ କରୁନାହାନ୍ତି । ନିର୍ବାଚନରେ ବିପର୍ୟ୍ୟୟ ପରେ ହାଇକମାଣ୍ଡଙ୍କୁ ଯାହା ଜଣାଇବା କଥା ଜଣେଇ ଦେଇଥିବା କହୁଛନ୍ତି । ଆଗକୁ ଏଆଇସିସି ଯାହା ନିଷ୍ପତି ନେବ ତାକୁ ଗ୍ରହଣ କରିବେ ବୋଲି ଶରତ କହିଛନ୍ତି ।

ନିର୍ବାଚନ ଫଳାଫଳ ପରେ ସାରା ରାଜ୍ୟର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଂଗ୍ରେସ ଭବନରେ ପିସିସି ସଭାପତିଙ୍କୁ କାଳିମାଡ ହେବା । ଅନେକ କଂଗ୍ରେସ ନେତାଙ୍କୁ ବହିଷ୍କାର କରିବା । ବହିଷ୍କାର ନିର୍ଦ୍ଦେଶକୁ ବିରୋଧ କରି ଜଣେ ମହିଳା କଂଗ୍ରେସ ଭବନ ଆଗରେ ଧାରଣା ଦେବା । ଏସବୁ ସଙ୍କେତ ଶରତ ପଟ୍ଟନାୟକଙ୍କ ନେତୃତ୍ବ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଆଉ କଂଗ୍ରେସ କର୍ମୀଙ୍କ ଅସନ୍ତୋଷର ଚାପା ଗୁଞ୍ଜରଣ ହାଇକମାଣ୍ଡଙ୍କ କାନରେ ମଧ୍ୟ ପଡି ସାରିଛି । ଏବେ ଏଆଇସିସିର ନିଷ୍ପତି ଉପରେ ସମସ୍ତଙ୍କ ନଜର ରହିଛି ।

ନିର୍ବାଚନ ସମୟରେ ପ୍ରଚାର ମଇଦାନରୁ ଗାଏବ ରହିଲେ । ଏପରିକି ପିସିସି ସଭାପତି ପ୍ରତିଦ୍ବନ୍ଦ୍ବିତା କରୁଥିବା ନୂଆପଡାରେ ଚତୁର୍ଥ ସ୍ଥାନରେ ରହିବା କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କଂଗ୍ରେସ କର୍ମୀ । ତେଣୁ ଏବେ ନୂଆ ପିସିସି ଅପେକ୍ଷାରେ ରହିଛି ଓଡ଼ିଶା କଂଗ୍ରେସ । ଯିଏ ଦଳକୁ ଏକଜୁଟ କରି ସଂଗଠନ ମଜବୁତ କରିପାରିବ ।