ମାଲକାନଗିରି ଚିତ୍ରକୋଣ୍ଡାର ଉପାନ୍ତ ଗାଁରେ ବାଟ ହୁଡିଛି ବିକାଶ: ଗାଁକୁ ନାହିଁ ଭଲ ରାସ୍ତା, ମିଳୁନି ବିଶୁଦ୍ଧ ପିଇବା ପାଣି

42

କନକ ବ୍ୟୁରୋ: ଆଜି ବି ଗାଁକୁ ପହଁଚିନି ବିକାଶ । ଧୂଆଁବାଣ ସରକାରଙ୍କ ପ୍ରତିଶ୍ରୁତି, ଅକାମୀ ହୋଇଛି ମାଳ ମାଳ ଯୋଜନା । ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ମଳିଗୁଡା ଗାଁରୁ ଆସିଛି ବିକାଶର ବାସ୍ତବ ଚିତ୍ର । ଗାଁକୁ ଯିବାକୁ ରାସ୍ତା ଖଣ୍ଟିଏ ନଥିବା ବେଳେ ନାହିଁ ବିଦ୍ୟୁତ କି ପିଇବା ପାଣିର ବ୍ୟବସ୍ଥା । ସଂଧ୍ୟା ନଇଁଲେ ମଳିଗୁଡାରେ ଘନ ଅନ୍ଧାର ରାଜୁତି କରୁଥିବା ବେଳେ ଡିବିରି ଆଲୁଅ ସାହାଭରସା । ସେହିପରି ଗ୍ରାମବାସୀଙ୍କ ଶୋଷ ମେଂଟାଇବା ପାଇଁ ନଳକୂପ ଟିଏ ନାହିଁ, ନଦୀ ଜଳ ହିଁ ଲୋକଙ୍କ ଶୋଷ ମେଣ୍ଟାଉଛି । ଏନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ନେଇ ପ୍ରଶାସନକୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

ଦୁର୍ଗମ ଇଲାକାର ବିକାଶ ପାଇଁ ସରକାର ଘୋଷଣା କରୁଛନ୍ତି ଯୋଜନା ଉପରେ ଯୋଜନା, ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ମଳିଗୁଡା ଗାଁରେ ସରକାରଙ୍କ ସବୁ ଯୋଜନା ଯେମିତି ଫେଲ୍ ମାରିଛି । ତେବେ ଆଗାମୀ ଦିନରେ ଗାଁରେ ଥିବା ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ସହିତ ଓଡ଼ିଶା ଛାଡି ଆନ୍ଧ୍ରରେ ମିଶିଯିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ପ୍ରତିଶ୍ରୁତି ପାଲଟୁଛି ପ୍ରତରଣା, ଦୁର୍ଗମ ଅଂଚଳକୁ ବିକାଶ ବାଟ ପାଉନଥିବା ବେଳେ ବଢୁଛି ଲୋକଙ୍କ ଯନ୍ତ୍ରଣା ।