କେନାଲ ଅଛି, ବନ୍ଧରେ ଜଳସେଚନ ପ୍ରକଳ୍ପ ବି ଅଛି, କିନ୍ତୁ ଜମିରେ ମାଡିନି ପାଣି । ରେଙ୍ଗାଳି ବାମ କେନାଲ ପାଇଁ ଜମି ହରାଇଥିବା ପ୍ରଜାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

22

କନକ ବ୍ୟୁରୋ: ଅବ୍ୟବସ୍ଥା ଭିତରେ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ଉପରେ ନିର୍ମାଣ କରାଯାଇଥିବା ଉଠା ଜଳସେଚନ ପ୍ରକଳ୍ପ । ସରକାର କା ମାଲ ଦରିଆ ମେ ଡାଲ ନୀତିରେ ସରକାରୀ ସମ୍ପତ୍ତି ହରି ଲୁଟ ହେଉଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହୀନତା ଓ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଛି କୋଟି କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ। କାମାକ୍ଷାନଗର ଅଞ୍ଚଳରେ ଶହଶହ ଏକର ଜମି ପଡିଆ ପଡ଼ିଛି। କେନାଲରେ ପାଣି ନାହିଁ କି ବର୍ଷା ନାହିଁ ।

ଅନୁଗୁଳରୁ ଢେଙ୍କାନାଳ ଦେଇ ଯାଜପୁର ଜିଲ୍ଲାକୁ ସଂଲଗ୍ନ କରୁଛି ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ। ହଜାର ହଜାର କୋଟି ଟଙ୍କା ବ୍ୟୟରେ ହଜାର ହଜାର ଏକର ଚାଷ ଜମି ଉପରେ ନିର୍ମାଣ ହୋଇଛି ଏହି କେନାଲ । ବର୍ଷର ଅଧିକାଂଶ ସମୟରେ ଜଳ ଯୋଗାଣ ଜାରି ରହିଛି। ହେଲେ ନଦୀର ଜଳ ନଦୀରେ ହିଁ ମିଶି ଯାଉଛି କିନ୍ତୁ ଚାଷ କିମ୍ବା ଚାଷୀଙ୍କ କାମରେ ଲାଗୁନାହିଁ। ପରଜଙ୍ଗ ଓ କାମାକ୍ଷାନଗର ବ୍ଲକର କେନାଲ ହୁଡ଼ାରେ ଉଠା ଜଳସେଚନର ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ଚାଷୀ ଜମି ଜଳସେଚିତ ହେଉନାହିଁ। ନିର୍ମାଣ ପରଠାରୁ ବିଭାଗୀୟ ଅଧିକାରୀଙ୍କ ଦେଖା ନାହିଁ। କେବଳ ସରକାରୀ କାଗଜ କଲମରେ ଚାଲିଛି ଉଠା ଜଳସେଚନ ପ୍ରକଳ୍ପ! କେନାଲ ପାଇଁ ଜମି ଦେଇଥିବା ଚାଷୀଙ୍କୁ ଲଲିପପ୍ ଦେଇ ବିଭାଗୀୟ ଅଧିକାରୀ ଠକୁଥିବା ଅଭିଯୋଗ ହୋଇଛି ।

କାମାକ୍ଷାନଗରର ବାଘୁଅଁ, ବ୍ରାହ୍ମଣିଆ, କାନପୁରା, ହାଡ଼ଗରୀ ଭଳି ଜାଗାରେ ଥିବା ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ଅଚଳ। ପ୍ରାୟ ପ୍ରକଳ୍ପରେ ଟ୍ରାନ୍ସଫର୍ମର, ମଟର କି ପାଇପ ନାହିଁ। ଘର ଗୁଡିକରୁ ମେସିନ, ପ୍ୟାନେଲ ବୋର୍ଡ ସହ ଅନେକ ଇଲେକ୍ଟ୍ରୋନିକ ସାମଗ୍ରୀ ଚୋରି ହୋଇଗଲାଣି । ଏପରିକି ଝରକା କବାଟ ବି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଉଠା ଜଳସେଚନ ପ୍ରକଳ୍ପର ବିଭାଗୀୟ ବାବୁମାନେ ଦିନେ ବି ପ୍ରକଳ୍ପର ଅନୁଧ୍ୟାନ କରିନଥିବା ଅଭିଯୋଗ ହୋଇଛି। ଉଭୟ ଖରିପ ଓ ରବି ଋତୁରେ ଚାଷ ଜମିକୁ ଜଳ ସେଚନ ହେଉଥିବା କେବଳ କାଗଜ କଲମରେ ସୀମିତ ରହିଛି। ଏବାବଦରେ କାମାକ୍ଷାନଗର ଠାରେ ଥିବା ଉପଖଣ୍ଡ ଉଠାଜଳସେଚନ କାର୍ଯ୍ୟାଳୟ ଅଧିକାରି ଖୋଲୁନାହାନ୍ତି ।