ସମ୍ବଲପୁର ଡିଏଲସିପି ବୈଠକରେ ଚାଷୀଙ୍କ ପାଇଁ ସ୍ୱର ଉଠାଇଲେ ନେତା: ଧାନର ସହାୟକ ମୂଲ୍ୟ, କଟନୀ ଛଟନୀକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

68

କନକ ବ୍ୟୁରୋ: ଜିଲ୍ଲାସ୍ତରୀ ଧାନ କିଣା ପ୍ରସ୍ତୁତି ବୈଠକରେ ବିଜେଡି-ବିଜେପି ମୁହାଁମୁହିଁ । ସମ୍ବଲପୁର ଡିଏଲପିସି ବୈଠକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ନିର୍ବାଚନ ପାଖେଇ ଆସୁଥିବା ଚାଷୀଙ୍କ ଭୋଟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଆଖିରେ ରଖି ଚାଷୀ ସମସ୍ୟାର ଆଲୋଚନା ଚାଲିଥିବା ବେଳେ ପ୍ରଥମ କଟନୀ ଛଟନୀକୁ ନେଇ ବିଜେପି ବିଧାୟକ ନାଉରୀ ନାୟକ ସ୍ୱର ଉତୋଳନ କରିଥିଲା । ଯାହାକୁ ବିରୋଧ କରିଥିଲେ ବିଜେଡି ବିଧାୟକ କିଶୋର ନାୟକ ଓ ରୋହିତ ପୂଜାରୀ । କୁଚିଣ୍ଡାକୁ ବଦନାମ କରି ଏଠି ରାଜନୀତି କରାଯାଉଥିବା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ବୈଠକରେ ବିଜେଡି ବିଧାୟକ ଓ ବିଜେପି ବିଧାୟକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଧାନର ସହାୟକ ମୂଲ୍ୟ ବିଧାନସଭାରେ ପାରିତ ପ୍ରସ୍ତାବ ଅନୁସାର କେନ୍ଦ୍ର ସରକାର ଦେଉନଥିବା କହିଥିଲେ । ଏନେଇ ଜିଲ୍ଲାକୁ ଆସୁଥିବା କେନ୍ଦ୍ରୀୟ ନେତାମାନେ କେନ୍ଦ୍ରକୁ ଜଣାଇବା ସହ ଲାଗୁ କରିବା ପାଇଁ କହିଥିଲେ ରୋହିତ ପୂଜାରୀ । ଜବାବ ଦେଇ ବିଜେପି ବିଧାୟକ ନାଉରୀ ନାୟକ କେନ୍ଦ୍ର ସରକାର ଦେଉଥିବା ସହାୟକ ମୂଲ୍ୟରେ ରାଜ୍ୟ ସରକାର ଧାନ କିଣନ୍ତୁ ବୋଲି କହିଥିଲେ । ଏଥିସହ ୫ ବର୍ଷ ତଳ ଓ ବର୍ତମାନର ଦରକୁ ନେଇ ଯୁକ୍ତି ବାଢିଥିଲେ । ବୈଠକରେ ନେତାଙ୍କ କଥା କଟାକଟି ଚାଲିଥିବା ବେଳେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏହାପରେ ବୈଠକରେ ମଣ୍ଡି ବ୍ୟବସ୍ଥା, ଧାନ କିଣାକୁ ନେଇ ଆଲୋଚନା ହୋଇଥିଲା । ଆସନ୍ତା ୨୨ ତାରିଖରୁ ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ସହ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି ।