୬ ବର୍ଷ ଧରି ଦରମା ପାଇନାହାଁନ୍ତି ବଣ୍ଡା ଜନଜାତିର ରୋଷେୟା । ୭ ମାସର ସନ୍ତାନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ହେଲା ଦ୍ୱାରସ୍ଥ ।

125

କନକ ବ୍ୟୁରୋ: ପାରିଶ୍ରମିକ ବଦଳରେ ମିଳୁଛି ପ୍ରତାରଣା । ସାମ୍ନାକୁ ଆସିଛି ଜଣେ ବଣ୍ଡା ଜନଜାତି ରୋଷେୟାଙ୍କ କରୁଣ କାହାଣୀ । କାମ କରିଚାଲିଛନ୍ତି, ହେଲେ ତାଙ୍କୁ ମିଳିନି ତାଙ୍କ ପାରିଶ୍ରମିକ । ୬ ବର୍ଷ ଧରି ଦରମା ପାଇ ନାହାନ୍ତି ମାଲକାନଗିରି ବଣ୍ଡା ଘାଟିରେ ରୋଷେୟା ଭାବେ କାମ କରୁ ଥିବା ଆଦିମ ବଣ୍ଡା ଜନଜାତିର ମହିଳା ସମାରୀ ବଡନାୟକ । ଆଉ ନିଜ ପ୍ରାପ୍ୟ ପାଇଁ କୋଳରେ ୭ ମାସର ସନ୍ତାନକୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ତ ହୋଇଛନ୍ତି ସମାରୀ ।
ସମାରୀ ବଣ୍ଡାଘାଟି ସ୍ଥିତ ବଣ୍ଡାପଡା ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ରାନ୍ଧି ଦେଉଥିଲେ । ତାଙ୍କର ଦରମା ୧୦୦ଟଙ୍କାରୁ ନେଇ ୧୪୦୦ ହୋଇଛି । ତଥାପି କିନ୍ତୁ ଦରମା ଟଙ୍କା ତାଙ୍କୁ ମିଳିନି । ଏନେଇ ସ୍କୁଲ କର୍ତ୍ତୁପକ୍ଷଙ୍କୁ ପଚାରିଥିଲେ । ହେଲେ ତାଙ୍କୁ ଛଟେଇ କରିଦିଆଯାଇଥିବା କହି ଘଟଣାକୁ ଚପାଇ ଦିଆଯାଇଛି । ଏ ନେଇ ସମାରୀ ଖଇରପୁଟ ବିଡିଓଙ୍କୁ ଲିଖିତ ଅଭିଯୋଗ କରି ଥିଲେ ବି ତାଙ୍କ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ । ତେଣୁ ବାଧ୍ୟ ହୋଇ ସମାରୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିଜ ଗୁହାରି ଜଣାଇଛନ୍ତି । ସେଠାରେ ମଧ୍ୟ ତାଙ୍କୁ ସମସ୍ୟା ସମାଧାନ କରିବାର ମିଳିଛି ପ୍ରତିଶ୍ରୁତି । ଯାହାର ଅପେକ୍ଷାରେ ରହିଛନ୍ତି ସମାରୀ ।