କୃଷ୍ଣପ୍ରସାଦ ବ୍ଲକରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

96

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ଆଜି ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକ୍‌ସ ମେକାନିକ୍ ଓ ଡ୍ରେସ ମେକିଂ ପରି ୪ଟି ଟ୍ରେଡରେ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଓ ଭବିଷ୍ୟତର ଶିଳ୍ପଗୁଡିକର ନିଯୁକ୍ତି ଚାହିଦାକୁ ଦେଖି ଏହି ତାଲିମ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଆଉ ଅଧିକ ଟ୍ରେଡରେ ତାଲିମ ଦେବାର ବ୍ୟବସ୍ଥା କରାଯିବ। ଏଥିରେ ଆଧୁନିକ ଲାବୋରେଟୋରୀ, ୱାର୍କସପ୍‌, ହଷ୍ଟେଲ ଆଦି ସମସ୍ତ ସୁବିଧା କରାଯାଇଛି ।

ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବିକାଶ ହେବା ସହିତ ଦକ୍ଷ ଯୁବକଯୁବତୀଙ୍କର ଆବଶ୍ୟକତା ମଧ୍ୟ ରହିଛି । ଓଡିଶାରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପିଲାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସ୍କିଲଡ୍ ଅଫ୍ ଓଡିଶା କାର୍ଯ୍ୟକ୍ରମକୁ ମିଶନ ମୋଡରେ କାର୍ଯ୍ୟକାରୀ କରାଯାଉଛି । ଏହାଦ୍ବାରା ବିଶ୍ବ ନିଯୁକ୍ତି ବଜାରରେ ଓଡିଶାର ପିଲାମାନଙ୍କର ଚାହିଦା ସବୁଠାରୁ ଅଧିକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ଓଡିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶର ୧୨ ହଜାର ଆଇଟିଆଇ ମଧ୍ୟରୁ ଶ୍ରେଷ୍ଠ ଶହେଟି ମଧ୍ୟରେ ଓଡିଶାର ୧୦ଟି ଆଇଟିଆଇ ସ୍ଥାନ ପାଇଛନ୍ତି । ଏହା ଏକ ଗୌରବର କଥା ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଓଡିଶାର ପିଲାମାନେ ଜାତୀୟ ଓ ଆନ୍ତର୍ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ଓଡିଶା ପାଇଁ ସୁନାମ ଆଣୁଛନ୍ତି। ଆଗାମୀ ଦିନରେ ମଧ୍ୟ ଓଡିଶାର ପିଲାମାନେ ଏଭଳି ସଫଳତାର ଧାରା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା କହିଥିଲେ, କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ଓ ସମୁଦ୍ର ମଧ୍ୟରେ ୧୪ଟି ପଞ୍ଚାୟତର ଏକ ଦୁର୍ଗମ ଅଞ୍ଚଳ । ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଆଜି ଆଇଟିଆଇ ସ୍ଥାପନ ଦ୍ବାରା ଏହି ଅଞ୍ଚଳରେ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏକ ନୂଆ ଦିଗନ୍ତ ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ଶିକ୍ଷା ଓ ତାଲିମ ପ୍ରତି ଆକୃଷ୍ଟ ହେବେ ବୋଲି ସେ ମତ ଦେଇଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରି କହିଥିଲେ ଯେ ରାଜ୍ୟରେ ଗ୍ରୀନ କ୍ୟାମ୍ପସ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ତେଣୁ ଆଇଟିଆଇ କ୍ୟାମ୍ପସରେ ଅଧିକ ଗଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସ୍ବାଗତ ଭାଷଣ ଦେଇଥିଲେ । ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।