ମହିଳା କୁସ୍ତିଯୋଦ୍ଧାଙ୍କ ମାମଲା ନେଇ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ, ଶୁକ୍ରବାର ସୁଦ୍ଧା ଜବାବ ରଖିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ

100

କନକ ବ୍ୟୁରୋ : ମହିଳା କୁସ୍ତିଯୋଦ୍ଧା ମାମଲାରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିପାରନ୍ତି । ଏନେଇ କୋର୍ଟ ଶୁକ୍ରବାର ସୁଦ୍ଧା ଜବାବ ରଖିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ବରିଷ୍ଠ ଓକିଲ କପିଲ ଶିବଲ ଏହି ମାମଲାରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଥିଲେ । କପିଲ ସିବଲ କୋର୍ଟରେ ଅଭିଯୋଗ କରିଛନ୍ତି କି ୭ଜଣ ମହିଳା କୁସ୍ତିଯୁଦ୍ଧା ଉତ୍ପୀଡନ ଅଭିଯୋଗ ନେଇ ଦିଲ୍ଲୀ ପୋଲିସ ପାଖରେ ପହଂଚିଥିଲେ ବି ପୋଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନାହିଁ । ସିବଲ କହିଛନ୍ତି କି ଅଭିଯୋଗ କରିଥିବା ମହିଳା କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଜଣେ ନାବାଳିକା ଥିବାରୁ ମାମଲାର ଗୁରୁତ୍ୱ ବଢିଯାଇଛି ।

କହିରଖୁ କି ଭାରତୀୟ ମହିଳା କୁସ୍ତିଯୋଦ୍ଧା ସଂଘ ତରଫରୁ ରବିବାର ଦିନ ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ନେଇ ଦିଲ୍ଲୀର ଜନ୍ତରମନ୍ତ୍ରର ଠାରେ ଧାରଣାରେ ବସିଛନ୍ତି । ସେମାନେ ପ୍ରଥମେ ପୋଲିସରେ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ ନକରିବାରୁ ସେମାନେ ଏବେ ଧାରାଣା ଦେଇଛନ୍ତି ।

ସେପଟେ ଦିଲ୍ଲୀ ପୋଲିସ ମାମଲା ରୁଜୁ ନକରିବାକୁ ନେଇ ବିରୋଧୀଦଳମାନେ ସରକାରଙ୍କୁ ଘେରିଥିବା ବେଳେ ମୁଖ୍ୟ ବିଚାରପତି ଏହି ମାମଲାର ଶୁଣାଣି ଏପ୍ରିଲ ୨୮ ତାରିଖରେ ହେବ ବୋଲି ସୂଚିବଦ୍ଧ କରିଛନ୍ତି । କୋର୍ଟ କହିଛନ୍ତି କି ଭାରତରୁ ପ୍ରତିନିଧିତ୍ୱ କରୁଥିବା ମହିଳା କୁସ୍ତଯୋଦ୍ଧାଙ୍କ ଆବେଦନରେ ଗମ୍ଭୀର ଅଭିଯୋଗ ରହିଛି ।