ସ୍କୁଲ ସମସ୍ୟା ଜଣାଇବାକୁ ପଦଯାତ୍ରା : ୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ହେଲେ ଫେରାଦ

182

କନକ ବ୍ୟୁରୋ : ଦାବି ଜଣାଇବାକୁ ଦୀର୍ଘ ୨୫ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ । ସ୍କୁଲର ବିଭିନ୍ନ ସମସ୍ୟା ବାବଦରେ ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବାକୁ ୨୫ କିଲୋମିଟର ଛାତ୍ରଛାତ୍ରୀ ଚାଲିଚାଲି ଆସିଛନ୍ତି । ଆଉ ସ୍କୁଲର ସମସ୍ୟା ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ସ୍ଥିତ ପାଣିଗାଁର ଦୁଧିଆଣି ପଂଚାୟତ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ପାଦରେ ଚାଲି ଚାଲି ୨୫ କିମି ଆସିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି ।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ସ୍କୁଲ ପରିସରରେ ବିଦ୍ୟୁତ ସଂଯୋଗ, ପିଇବା ପାଣିର ସମସ୍ୟା, ସ୍କୁଲ ପାଚେରୀ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବି କରିବା ସତ୍ୱେ କିଛି ଫଳ ନମିଳିବାରୁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ନଥିବାରୁ କରଞ୍ଜିଆ ବିଡିଓ ଏବଂ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଧାରଣାରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣିବା ସହ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ।