ମଦ କରିଦେଲା ମଣିଷକୁ ରାକ୍ଷସ : ଜୁଇରେ ଜଳୁଥିବା ଶବକୁ ଦର ପୋଡ଼ା ଅବସ୍ଥାରେ ଆଣି ୨ଜଣ ଖାଇଥିବା ଅଭିଯୋଗ

899

କନକ ବ୍ୟୁରୋ : ମଦ କେମିତି ମଣିଷକୁ ଅମଣିଷ କରିଦିଏ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବନ୍ଧସାହି ଗାଁରେ । ମଦ ପିଇବା ପରେ ନିଜର ହିତାହିତ ଜ୍ଞାନ ଭୁଲି, ମଣିଷର ଦରପୋଡା ମାଂସ ଖାଇଛନ୍ତି କିଛି ଅମଣିଷ । କଥାଟି ବିଶ୍ୱାସ ହଉନଥିଲେ ବି ସତ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଏହି ନର ରାକ୍ଷସଙ୍କ ପ୍ରତି ଆକ୍ରୋଷ ବଢିବାରେ ଲାଗିଛି । ଜୁଇରେ ପୋଡା ଶବର ମାଂସ ଖାଇବାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ମାଂସ ଖାଉଥିବା ଦୁଇଜଣ ବ୍ୟକ୍ତିଙ୍କୁ ମାଡ ମାରିବା ସହ ଅଟକ ରଖିଥିଲେ ଗାଁ ଲୋକ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ ଗାଁ ଲୋକଙ୍କୁ ବୁଝାସୁଝା କରିଥିଲା । ଅଟକ ଦୁଇ ବ୍ୟକ୍ତିଙ୍କୁ ହେପାଜତକୁ ନେଇଛି ପୋଲିସ । ସବୁଠାରୁ ବଡକଥା ହେଉଛି ଏହି ଯୁବକମାନେ ମଦ ପିଇବା ପରେ ହିତାହିତ ଜ୍ଞାନ ଭୁଲି ଏଭଲି ଅମାନବୀୟ କାଣ୍ଡ ଘଟାଇଥିବା କ୍ୟାମେରା ଆଗରେ ସ୍ୱୀକାର ବି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ବନ୍ଧସାହି ଗାଁର ଜଣେ ୨୫ ବର୍ଷୀୟ ଯୁବତୀଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ବଡସାହି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବାରିପଦା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ପରେ ଯୁବତୀଙ୍କ ପରିବାର ଓ କିଛି ଗାଁ ଲୋକ ଯୁବତୀଙ୍କ ମୃତ ଦେହକୁ ସଂସ୍କାର ପାଇଁ ଗାଁ ଶ୍ମଶାନକୁ ନେଇଥିଲେ । ଅଭିଯୋଗ ଅନୁସାରେ ଜୁଇରେ ଶବ ଜଳୁଥିବାବେଳେ ଦରପୋଡା ଅବସ୍ଥାରେ ଦୁଇଜଣ ବ୍ୟକ୍ତି କାଢିଆଣି ଖାଇବାକୁ ଲାଗିଥିଲେ । ବର୍ବରତାର ସବୁ ସୀମା ଲଙ୍ଘିଯାଇଥିଲେ ଏହି ଦୁଇଜଣ । ଏଭଳି ଏକ ନାରକୀୟ କାଣ୍ଡକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତେଜନା ପ୍ରକାଶ ପାଇଥିଲା । ଚାହୁଁ ଚାହୁଁ ଖବର ଚାରିଆଡେ ବ୍ୟାପିଗଲା । ଲୋକେ ଏମାନଙ୍କୁ ମାରଧର କରିବା ସହ ଗୋଟିଏ ସ୍ଥାନରେ ଅଟକ ରଖିଥିଲେ । ତେବେ ମଦ କିଭଳି ମଣିଷକୁ ରାକ୍ଷସ କରିଦିଏ ତାର ଉଦାହରଣ ଏହି ଘଟଣାରୁ ସ୍ପଷ୍ଟ ହୋଇଛି ।