ସରକାରୀ ବିଦ୍ୟାଳୟରେ ମିଳୁଛି ଅଲଗା ଅଲଗା ମଧ୍ୟାହ୍ନ ଭୋଜନ: ସତ୍ୟବାଦୀରେ ପିଲାଙ୍କୁ ଦିଆଯାଉଛି ଡାଲମା ଭାତ, ଡେଲାଙ୍ଗରେ ପାଣିଆ ଡାଲମାରେ ମିଳୁନି ପରିବା

131

କନକ ବ୍ୟୁରୋ: ସରକାର ଗୋଟିଏ କିନ୍ତୁ ସରକାରୀ ବିଦ୍ୟାଳୟରେ ଭିନ୍ନଭିନ୍ନ ମଧ୍ୟାହ୍ନ ଭୋଜନ କାହିଁକି? ୬୦ ଜଣ ପିଲା ଖାଇବେ ୩ କିଲୋ ଆଳୁ, ୧୫୦ ଗ୍ରାମ ଟମାଟୋ, ୩ଶହ ଗ୍ରାମ ପିଆଜ, ୨ ପାଖୁଡା ରସୁଣକୁ ଫାଳେ କଖାରୁ । ଆଉ ଦିଦିଙ୍କ ବାଡି ବରଡା ପତ୍ରରେ ରୋଷେଇ କରିବେ ପାଚିକା । ପିଲାମାନେ ଖାଇବେ ଅଣ୍ଡା ସିଝାକୁ ଆଳୁ କଖାରୁ ତରକାରୀ। ଏକଥା ଆମେ ମନ ଇଚ୍ଛା କହୁନାହୁଁ, ଏକଥା କହିଛନ୍ତି ପୁରୀ ଡେଲାଙ୍ଗ ବିଶେଶ୍ୱରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ।

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଦେଇପୁର ଶାସନ ସରକାରୀ ବିଶେଶ୍ୱରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସତ୍ୟବାଦୀ ବ୍ଲକର ଇଛାପୁର ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଗୋଟିଏ ସ୍କୁଲ ପିଲାଙ୍କ ଥାଳିରେ ବହଳା ଡାଲି ସାଙ୍ଗକୁ ଆଚାର। ଅନ୍ୟପଟେ ପନି ପାରିବାର ଅତାପତା ନଥିବା ଢଙ୍କସର ପାଣିରେ ତରକାରୀ ଖାଉଛନ୍ତି ଛାତ୍ରଛାତ୍ରୀ। ସ୍ୱାଭାବିକ ପ୍ରଶ୍ନ ଉଠେ, ଯଦି ଆମର ସରକାର ଗୋଟିଏ କିନ୍ତୁ ସରକାରୀ ବିଦ୍ୟାଳୟରେ ଭିନ୍ନଭିନ୍ନ ମଧ୍ୟାନ ଭୋଜନ କାହିଁକି? ଆଉ ଏଥିପାଇଁ ଉତ୍ତରଦାୟୀ କିଏ?

ଏସବୁ ପଛର ପ୍ରମୁଖ କାରଣ, ବର୍ତ୍ତମାନର ଦରଦାମ ବୋଲି କୁହାଯାଉଛି। ପନିପାରିବାଠାରୁ ରାସନ ସାମଗ୍ରୀ ସବୁ ଦାମ ବଢିଛି, କିନ୍ତୁ ସରକାର ପିଲାଙ୍କ ମଧ୍ୟାନ ଭୋଜନ ପାଇଁ ମୁଣ୍ଡ ପିଛା ଧାର୍ଯ୍ୟ ସରକରୀ ଅନୁଦାନ ଏପର୍ଯ୍ୟନ୍ତ ବଢିନାହିଁ। ପ୍ରଥମରୁ ପଞ୍ଚମ ମୁଣ୍ଡ ପିଛା ୫ଟଙ୍କା ୯୦ପଇସା, ଷଷ୍ଠରୁ ଅଷ୍ଟମ ପିଲାଙ୍କ ମୁଣ୍ଡପିଛା ୮ଟଙ୍କା ୫୦ପଇସା ଦେଉଛନ୍ତି ସରକାର। ଫଳରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଅରୁଚିକର ଖାଦ୍ୟ ଦିଆଯାଉଛି ବୋଲି ସ୍ଵୀକାର କରିଛନ୍ତି ବିଦ୍ୟାଳୟର ଶିକ୍ଷୟିତ୍ରୀ ।

ରାଜ୍ୟ ସରକାର ଓ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀଙ୍କ ନିକଟରେ ବାରମ୍ୱାର ଅଭିଯୋଗ ଦେଇଆସୁଛନ୍ତି ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ। ଅଭିଯୋଗ ଅଭିଯୋଗ ବାଟରେ ଯାଉଥିବା ବେଳେ ନୂଆ ସରକାର ପିଲାଙ୍କ କଥା ବୁଝିବେ ବୋଲି ଆସା ବାନ୍ଧିବସିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ।