ନିର୍ବାଚନ ପାଇଁ ଗେହଲଟଙ୍କ ନୂଆ ଘୋଷଣା, ରାସନ କିଟ୍ ସହିତ ମାଗଣା ମିଳିବ ଏସବୁ ସାମଗ୍ରୀ

297

କନକ ବ୍ୟୁରୋ : ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛିି । ଏବେ ରାଜ୍ୟ ଶାସନରେ ଥିବା ଗେହଲଟ ସରକାର ପୁଣି ଥରେ ନିର୍ବାଚନ ଜିତି ସରକାର ଗଠନ କରବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏନେଇ ସରକାର ଲୋକଙ୍କ ପାଇଁ ଅନେକ ପ୍ରକାର ସହାୟତା ଘୋଷଣା କରିବାରେ ଲାଗିଛନ୍ତି । ଏପର୍ଯ୍ୟନ୍ତ ଗେହଲଟ ସରକାର ଲୋକଙ୍କ ପାଇଁ ଶସ୍ତା ବିଜୁଳି, ଶସ୍ତା ରୋଷେଇ ଗ୍ୟାସ ଓ ପାଣି ଯୋଗାଇ ଦେଉଥିବା ବେଳେ ଏବେ ରାଜ୍ୟବାସୀଙ୍କ ମାଗଣା ରାସନ କିଟ୍ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଗେହଲଟ ଅଗଷ୍ଟ ୧୫ ତାରିଖରୁ ଏହି ଯୋଜନାର ଶୁଭାରମ୍ଭ କରିପାରନ୍ତି ।

ଅଶୋକ ଗେହଲଟ ବଜେଟ ବେଳେ ଘୋଷଣା କରିଥିଲେ କି ରାଜ୍ୟ ସରକାର ରାଷ୍ଟ୍ରୀୟ ଖାଦ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରକୁ ଗହମ ସହ ଅନ୍ୟ ରାସନ ସାମଗ୍ରୀ ମାଗଣାରେ ଯୋଗାଇ ଦେବେ । ଯଦି ରାଜସ୍ଥାନ ସରକାର ଏହି ଯୋଜନା ଲାଗୁ କରନ୍ତି ତେବେ ରାଜ୍ୟର ୧.୧୦ କୋଟିରୁ ଅଧିକ ପରିବାର ଲାଭାନ୍ୱିତ ହେବେ ।

ରାଜସ୍ଥାନ ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ସହିତ ଜଡିତ ପରିବାରକୁ ଯେଉଁ ରାସନ କିଟ୍ ଦେବେ ସେଥିରେ ୧ କେ.ଜି ଚଣା ଡାଲି, ୧୦୦ ଗ୍ରମା ଧଣିଆ ପାଉଡର, ୫୦ ଗ୍ରାମ ହଳଦୀ ପାଉଡର, ୧ଲିଟର ସୋୟାବିନ୍ ତେଲ, ୧ କିଲୋ ଲୁଣ, ୧୦୦ ଗ୍ରାମ ଲଙ୍କା ଓ ୧ କିଲୋ ଚିନି ମାଗଣାରେ ଦେବେ ।

ଯୋଜନାକୁ ନେଇ ଜୟପୁରରେ ଟେଣ୍ଡର ପ୍ରକ୍ରିିୟା ସମାପ୍ତ ହୋଇଛି । ଏଠାରେ ଗୋଟିଏ ରାସନ କିଟର ଦାମ ୩୫୯ ଟଙ୍କା ସ୍ଥିର କରାଯାଇଛି । ଗୋଟିଏ ପ୍ୟାକେଟକୁ ସରକାର ଏତିକି ଟଙ୍କାରେ କିଣି ଉପଭୋକ୍ତାଙ୍କୁ ମାଗଣାରେ ଦେବେ ।