ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ । ନିଟ୍ ପରୀକ୍ଷା ପ୍ରସଙ୍ଗରେ ଆସନ୍ତାକାଲି ସଂସଦରେ ଚର୍ଚ୍ଚା କରିବାକୁ ଦାବି ।

85

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସଂସଦରେ ନିଟ୍ ପରୀକ୍ଷା ପେପର ଲିକ୍ ମାମଲାରେ ଚର୍ଚ୍ଚା ପାଇଁ ସେ ଏହି ଚିଠିରେ ସମୟ ମାଗିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆମର ଉଦ୍ଦେଶ୍ୟ ହେଉଛି ୨୪ ଲକ୍ଷ ନିଟ୍ ପରୀକ୍ଷାର୍ଥୀଙ୍କ ହିତ ପାଇଁ କଥା କହିବ. ଯେଉଁମାନେ କି ଜବାବର ହକଦାର ।

ରାହୁଲ ଗାନ୍ଧୀ ସୋସିଆଲ୍ ମିଡିଆରେ ଚିଠି ସେୟାର କରି ଲେଖିଛନ୍ତି ଯେ, ମୁଁ କାଲି ଅର୍ଥାତ ବୁଧବାର ସଂସଦରେ ନିଟ୍ ଉପରେ ଚର୍ଚ୍ଚା ପାଇଁ ଅନୁରୋଧ କରୁଛି । ନିଟ୍ ଉପରେ ଚର୍ଚ୍ଚା ପାଇଁ ଜୁନ୍ ୨୮ ତାରିଖରେ ସଂସଦର ଉଭୟ ସଦନରେ ବିରୋଧୀଙ୍କ ଅନୁରୋଧକୁ ଅସ୍ୱୀକାର କରିଦିଆଯାଇଥିଲା ବୋଲି ରାହୁଲ କହିଛନ୍ତି । ତେବେ ଆସନ୍ତାକାଲି ଅର୍ଥାତ ବୁଧବାର ଏହି ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ସେ ଅନୁରୋଧ କରିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି, “ଲୋକସଭା ଅଧ୍ୟକ୍ଷ ବିରୋଧୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଏହି ପ୍ରସଙ୍ଗରେ ସରକାର ଚର୍ଚ୍ଚା କରିବେ । ନିଟ୍ ପାଇଁ ଆଗକୁ ରାସ୍ତା ଖୋଜିବାକୁ ପଡିବ । ୨୪ ଲକ୍ଷ ପରୀକ୍ଷାର୍ଥୀଙ୍କ କଲ୍ୟାଣ ପାଇଁ ଚର୍ଚ୍ଚା କରିବାକୁ ହେବ । ଲକ୍ଷ ଲକ୍ଷ ଲୋକ ନିଜ ପିଲାଙ୍କ ପାଠପଢା ପାଇଁ ବ୍ୟକ୍ତିଗତ ବଳିଦାନ ଦେଉଛନ୍ତି । ତେଣୁ ଅନେକ ଲୋକଙ୍କ ପାଇଁ ଏ ପେପର ଲିକ୍ ବିଶ୍ୱାସଘାତ ଅଟେ ।”

ଆମ ଛାତ୍ରଛାତ୍ରୀମାନେ ଜବାବର ହକଦାର । ଏହି ମାମଲାର ଗମ୍ଭୀରତାକୁ ଦେଖି ବିରୋଧୀ ପକ୍ଷ ସରକାରଙ୍କୁ ଏହି ବିଷୟରେ ଚର୍ଚ୍ଚା ପାଇଁ ସମୟ ମାଗିଛନ୍ତି ବୋଲି ରାହୁଲ କହିଛନ୍ତି ।