ହଟିଲା ସୁରକ୍ଷା ବଢିଲା ବିପଦ, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ବାଲାଙ୍କୁ ଗୁଳି କରି ହତ୍ୟା

139

କନକ ବ୍ୟୁରୋ : ସୁରକ୍ଷା ହଟିବା ପରେ ପଞ୍ଜାବରେ ଆରମ୍ଭ ହୋଇଛି ଆକ୍ରମଣ । ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେ ବାଲାଙ୍କୁ କିଛି ଦୁବୃର୍ତ୍ତ ଗୁଳି କରି ହତ୍ୟା କରିଛନ୍ତି । ପଞ୍ଜାବର ମାନସା ଠାରେ ଥିବା ଜବାହରକେ ଗାଁ ନିକଟରେ କିଛି ଲୋକ ସିଦ୍ଧୁ ମୁସେ ବାଲାଙ୍କ ଉପରେ ଅଚାନକ ଗୁଳି ଚଳାଇଥିଲେ । ଏଥିରେ ସେ ଓ ତାଙ୍କ ସହିତ ଥିବା ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ମାନସା ମେଡିକାଲକୁ ନିଆଯାଇଥିଲେ ବି ସେଠାରେ ସିଦ୍ଧୁ ମୁସେ ବାଲାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାସହ ଅନ୍ୟ ୨ ଜଣ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଏହି ଗୁଳିକାଣ୍ଡ ପରେ ବିରୋଧୀ ଦଳମାନେ ମାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସୁରକ୍ଷା ପ୍ରତ୍ୟାହାର କରିବା ନେଇ ବିରୋଧୀ କହିଛି କି ଏହା ମାନ ସରକାରଙ୍କ ଏକ ଭୁଲ ନିଷ୍ପତ୍ତି । ଅନ୍ୟପଟେ ସୁସେୱାଲା ପଞ୍ଜାବ ବିଧାନସସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିରୁ ପ୍ରାର୍ଥୀ ହୋଇଥିବା ବିଜୟ ସିଂଗଲାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ । ଏହାକୁ ବି ବିରୋଧୀମାନେ ପ୍ରସଙ୍ଗ କରିବା ଆରମ୍ଭ କରିଦେଇଛନ୍ତି ।

କହିରଖୁ କି ଶନିବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୪୨୪ ଜଣ ଭିଆଇପିଙ୍କ ଠାରୁ ସରକାରୀ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଥିଲା । ଏହି ଭିଆଇପିଙ୍କ ତାଲିକାରେ ସିଦ୍ଧୁ ମୁସେ ବାଲା ସହ ଅନେକ ଅବସରପ୍ରାପ୍ତ ଅଧିକାରୀ ଥିଲେ । ଏହାସହ ଏବେ ବିଧାୟକ ଥିବା ଓ କିଛି ପୂର୍ବତନ ବିଧାୟକଙ୍କ ଠାରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିନେଇଥିଲେ ପଞ୍ଜାବ ସରକାର ।