ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ବିରୋଧୀ ଉଠାଇଲେ ପ୍ରଶ୍ନ, ନିର୍ବାଚନ ଆଗରୁ କାହିଁକି ଦରକାର ପଡ଼ିଲା ଜନ ଶୁଣାଣି

70

କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ୨୦ଟି ଜିଲ୍ଲା ଗସ୍ତପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ନେଇ ବର୍ଷିଛନ୍ତି ବିରୋଧୀ । ଏହା ଜନଶୁଣାଣୀ ନୁହେଁ ଜନସଭା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ବ୍ୟକ୍ତିଗତ ସଚିବଙ୍କ ଜନସଭାକୁ ନେଇ ବିବାଦ ବଢୁଥିବାରୁ ଏହାକୁ ଜନଶୁଣାଣୀ ନାଁ ଦିଆଯାଇଥିବା କହିଛନ୍ତି । ବିଡିଓଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସୋମବାର ଅଭିଯୋଗ ଶୁଣାଣୀ କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବି ରହିଛି ତେବେ ଏହି ଜନଶୁଣାଣୀର କଣ ଆବଶ୍ୟକତା ବୋଲି ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଛନ୍ତି । ସେହିପରି ୨୦୦୮ରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଚଳ ହୋଇ ପଡିଛି ଏବଂ ସେଠାରେ କିଛି ଅଭିଯୋଗ ଶୁଣାଯାଉନାହିଁ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି । ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସବୁ ବିଭାଗ ମିଳିତ ଭାବେ ବିକାଶ କାମକୁ ଆଗେଇ ନେଉଛନ୍ତି । ଯାହା ଦେଖି ବିରୋଧୀଙ୍କ ଚିନ୍ତା ବଢ଼ିଯାଇଛି ।

ତେବେ ବିରୋଧୀ ବିକାଶକୁ ବିରୋଧ ନକରି ବିକାଶକୁ ନେଇ ପ୍ରତିଯୋଗିତା କରନ୍ତୁ ବୋଲି କହିଛନ୍ତି ଥିବା କହିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ । ମୁଖ୍ୟମନ୍ତ୍ରୀଙ୍କ ଅଫିସ ଦ୍ୱାରା କରାଯାଇଥିବା ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବର୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ୫-ଟି ସଚିବ । ସମୀକ୍ଷା ବେଳେ ଜନ ଅଭିଯୋଗ ଶୁଣାଣିକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।