ମଣିପୁର ହିଂସାକୁ ନେଇ ଥମୁନି ରାଜନୀତି, ଦୁଇଦିନିଆ ମଣିପୁର ଗସ୍ତ କରିବେ ବିରୋଧୀ ମେଣ୍ଟର ସାଂସଦ

119

କନକ ବ୍ୟୁରୋ : ମଣିପୁରରେ ୨ମାସରୁ ଅଧିକ ସମୟ ଧରି ଜାରି ରହିଛି ଜାତିବାଦ ହିଂସା । ଏହାରି ମଧ୍ୟରେ ଏକ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବାର ଭିଡିଓ ଭାଇରାଲ ହେବା ପରେ ହିଂସା ଉପରେ ଭାରି ପଡୁଛି ରାଜନୀତି । ସଂସଦରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ତରଫରୁ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି ହଟ୍ଟଗୋଳ କରୁଥିବା ବେଳେ ପ୍ରଧାନମନ୍ତ୍ରୀ କିନ୍ତୁ ସଂସଦ ବାହାରେ ବୟାନ ଦେଇ ଘଟଣାକୁ ନିନ୍ଦା କରିଛନ୍ତି । ଏସବୁ ଭିତରେ ଇଣ୍ଡିଆ ମେଣ୍ଟର ସାଂସଦମାନଙ୍କର ଏକ ଟିମ୍ ୨୯-୩୦ ଦୁଇଦିନିଆ ମଣିପୁର ଗସ୍ତରେ ଯିବେ ବୋଲି ଘୋଷଣା କରିଛନ୍ତି । ଏହା ପୂର୍ବରୁ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରି ହିଂସା ପୀଡିତ ଲୋକଙ୍କୁ ଭେଟିଥିଲେ ।

ସେପଟେ ମଣିପୁର ସରକାର ଓ କେନ୍ଦ୍ର ସରକାରଙ୍କ ଶତଚେଷ୍ଟା ପରେ ବି ମଣିପୁରରେ ହିଂସା ଥମିବାର ନା ନେଉନି । ଥୋରବଂଗ ଓ କାଙ୍ଗବେ ଠାରେ ଗୁରୁବାର ସକାଳୁ ଗୁଳି ବିନିମୟ ଜାରି ରହିଛି । ଏହି ଦୁଇଟି ସ୍ଥାନରେ ମୈତେୟୀ ଓ କୁକୀ ସଂପ୍ରଦାୟର ଲୋକେ ସାମ୍ନା ସାମ୍ନି ହୋଇଛନ୍ତି ।

ଅନ୍ୟପଟେ ମଣିପୁର ହିଂସାକୁ ନେଇ ମିଜୋରାମରେ କୁକୀ ସମୁଦାୟଙ୍କ ସମର୍ଥନରେ ହୋଇଥିବା ରାଲିକୁ ନାପସନ୍ଦ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ । ଏହି ରାଲିରେ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ମଧ୍ୟ ଭାଗ ନେଇଥିଲେ । ବିରେନ୍ ସିଂ କହିଛନ୍ତି କି ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ରାଜ୍ୟର ଅନ୍ତରୀଣ ମାମଲା ଉପରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ।

ଏସବୁ ଭିତରେ ହିଂସା ଯୋଗୁଁ ୧୩ ହଜାରରୁ ଅଧିକ କୁକୀ-ଜୋମୀ ସଂପ୍ରଦାୟର ଲୋକ ମଣିପୁର ଛାଡି ମିଜୋରମ ପଳାଇଯାଇଛନ୍ତି ।