ଗୋଟିଏ ମ୍ୟାଚ୍, ମୁଁ ହୋଇଯିବି ଖରାପ କ୍ୟାପଟେନ: କାହିଁକି ଏମିତି କହିଲେ ରୋହିତ?

1,946

କନକ ବ୍ୟୁରୋ: ବିଶ୍ୱକପ ୨୦୨୩ରେ ଭାରତ ଚମତ୍କାର ପ୍ରଦର୍ଶନ କରୁଛି । ସବୁ ମ୍ୟାଚରେ ବିଜୟୀ ହେବା ସହ ଦଳ ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରିସାରିଛି । ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦଳ ଦମଦାର ପ୍ରଦର୍ଶନ କରିବା ସହ ବିପକ୍ଷ ଦଳକୁ ନିଜ ଦମ ଦେଖାଇ ସାରିଛି । ତେବେ ଏହାକୁ ନେଇ କ୍ୟାପଟେନ ରୋହିତ ଶର୍ମାଙ୍କ ବୟାନ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ପ୍ରେସ କନଫରେନ୍ସ କରି ନିଜ ଅଧିନାୟକତ୍ୱ ଓ କ୍ରିକେଟପ୍ରେମୀଙ୍କ ଭାବନାକୁ ନେଇ ଏମିତି କିଛି କହିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

ଅଧିନାୟକ ରୋହିତ ଶର୍ମା ପ୍ରେସ କନଫରେନ୍ସ କରି କହିଛନ୍ତି, ଏବେ ଆମେ ମ୍ୟାଚ ଜିତୁଛୁ, ସବୁ ଠିକଠାକ ଚାଲିଛି ହେଲେ ଗୋଟିଏ ଖରାପ ମ୍ୟାଚ ମୋତେ ଖରାପ କ୍ୟାପଟେନ କରିଦେବ । ଅଧିନାୟକ ହିସାବରେ ଏବେ ମୋତେ ମିଳୁଥିବା ପ୍ରଶଂସାକୁ ନେଇ ମୁଁ ଚିନ୍ତିତ ନୁହେଁ । ଅନେକ ସମୟରେ ମ୍ୟାଚର ସ୍ଥିତିକୁ ବୁଝିବାକୁ ପଡେ, ସ୍କୋର ବୋର୍ଡକୁ ଦେଖି ନିର୍ଣ୍ଣୟ ନେବାକୁ ପଡେ । ବେଳେବେଳେ ନିଷ୍ପତ୍ତି କାମ କରେ ଆଉ ବେଳେବେଳେ କମା କରେନି । ଏଥିପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡେ ।

ସେ ନିଜ ବ୍ୟାଟିଂକୁ ନେଇ କହିଛନ୍ତି କି, ମୁଁ ମୋ ଖେଳକୁ ଏଞ୍ଜୟ କରୁଛି, ହେଲେ ଟିମର ପରିସ୍ଥିତି ସବୁବେଳେ ମୋ ମୁଣ୍ଡରେ ରହିଛି । ଏମିତି ନୁହେଁ କି କ୍ରିଜକୁ ଯାଇ କିଛି ନବୁଝି ନସୁଝି ବ୍ୟାଟ ବୁଲେଇବାରେ ଲାଗିଯିବି । ମୋତେ ବ୍ୟାଟର ଠିକ ଭାବେ ବ୍ୟବହାର କରିବା ଜଣା । ଭଲ ବ୍ୟାଟିଂ କରି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇବା ମୋ କାମ । ମୁଁ ଓପନିଂ କରିବା ସମୟରେ ସବୁ ଶୂନରୁ ଆରମ୍ଭ ହୋଇଥାଏ ତେଣୁ ସ୍କୋର ଲକ୍ଷ୍ୟ ସ୍ଥଳରେ କେମିତି ପହଞ୍ଚିବ ତାହା ମୁଁ ଭାବିଥାଏ ।

ଚଳିତ ବିଶ୍ୱକପରେ ଭାରତ ଏବେ ଯାଏଁ ଭଲ ପ୍ରଦର୍ଶନ କରିଆସୁଛି । ଦଳ ସେମିଫାଇନାଲ ଖେଳିବା ପକ୍କା ହୋଇସାରିଲାଣି । ଦଳ ପାଇଁ କ୍ୟାପଟେନ ରୋହିତ ଶର୍ମା ଓ ବିରାଟ କୋହଲି ସଞ୍ଜିବନୀ ସଦୃଶ କାମ କରୁଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ ଦଳ ପାଇଁ ଏବେ ଯାଏଁ ଚମତ୍କାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି । ସେହିପରି କେବଳ ବ୍ୟାଟ୍ସମ୍ୟାନ ନୁହେଁ ବୋଲରମାନେ ମଧ୍ୟ ଦଳ ପାଇଁ ସଙ୍କଟମୋଚକ ସାଜିଛନ୍ତି । କେତେବେଳେ ଯଶପ୍ରିତ ବୁମରାହ ତ କେତେବେଳେ ମହମ୍ମଦ ସାମି ବିଶ୍ୱକପରେ ନିଜର ଦମ ଦେଖାଉଛନ୍ତି ।

ପୂର୍ବରୁ କିଛି ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆର ପରାଜୟ ପରେ ଫ୍ୟାନମାନେ ଅଧିନାୟକ ରୋହିତ ଶର୍ମାଙ୍କୁ ସମାଲୋଚନା କରିଥାନ୍ତି । କେବଳ ସେତିକି ନୁହେଁ ଅଧିନାୟକ ପଦ ଛାଡିବା ଦାବି ମଧ୍ୟ ଉଠିଥାଏ । ଏଭଳି ସମାଲୋଚନାର ଶିକାର କେବଳ ରୋହିତ ନୁହେଁ ବିରାଟ କୋହଲି ମଧ୍ୟ ହୋଇସାରିଛନ୍ତି । ଯେଉଁଥିପାଇଁ ତାଙ୍କୁ ଅଧିନାୟକ ପଦ ଛାଡିବାକୁ ପଡିଛି ବୋଲି ଚର୍ଚ୍ଚା ହେଉଛି ।