ଏସଟିଏଫ ପଞ୍ଝାରେ ବାଘ ଛାଲ ଚୋରାଚାଲାଣକାରୀ : ୨ଟି ବାଘଛାଲ ସହ ୨ ଜଣ ଗିରଫ

72

କନକ ବ୍ୟୁରୋ : ଏସଟିଏଫ ପଞ୍ଝାରେ ବାଘ ଛାଲ ଚୋରାଚାଲାଣକାରୀ । ୨ଟି ବାଘଛାଲ ସହ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ । ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ଵ ରାଗ୍ଧା କଲେଜ ନିକଟରୁ ବେତନଟୀ ବନବିଭାଗ ଏବଂ ସ୍ପେଶାଲ ଟାସ୍କଫୋର୍ସର ଏକ ଟିମ ୫ତାରିଖ ରାତିରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଥିଲା । ତେବେ ଦୁଇ ଅଭିଯୁକ୍ତଙ୍କୁ ବୁଧବାର ରାତି ତମାମ ପଚରାଉଚରା ସହିତ ଏହି ବେଆଇନ ବନ୍ୟପ୍ରାଣୀଙ୍କ ଶିକାର କରି ଚୋରା ଚାଲାଣରେ ସମ୍ପୃକ୍ତ ଅନ୍ୟାନ୍ୟ ଅଭିଯୁକ୍ତମାନଙ୍କ ବିଷୟରେ ଜାଣିବା ପରେ ଗୁରୁବାର ସକାଳେ ପ୍ରେସ ରିଲିଜ ମାଧ୍ୟମରେ ଜଣାଯାଇଥିଲା ।

ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ଖୁଣ୍ଟା ଥାନା ଅଧୀନ କୁଆମରା ଗ୍ରାମର ବୀରେନ୍ଦ୍ର ମହାନ୍ତିଙ୍କ ପୁଅ ପ୍ରଶାନ୍ତ ମହାନ୍ତି ଏବଂ ବଡ଼ସାହି ଥାନା ଅଧୀନ ବାଲିଯୋଡ଼ା ଗ୍ରାମର ସ୍ବର୍ଗତ ଶୁନା ବିନ୍ଧାଣୀଙ୍କର ପୁଅ ଗୋରା ବିନ୍ଧାଣି । ସୂଚନା ମୁତାବକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଏସଟିଏଫ ଏବଂ ବେତନଟୀ ରେଞ୍ଜର ଏକ ଟିମ ସଦଳବଳେ ଚଢ଼ାଉ କରିଥିଲେ । ସେମାନଙ୍କ ନିକଟରୁ ଦୁଇଟି ଭିନ୍ନ ଆକାରର କଲରାପତରିଆ ବାଘଛାଲ ଜବତ କରାଯାଇଥିଲା । ଏନେଇ ଦୁଇ ବନ୍ୟପ୍ରାଣୀ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ବେତନଟୀ ବନବିଭାଗ। ଜବତ କଲରାପତରିଆ ବାଘ ଚମଡାଗୁଡ଼ିକର ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଡେରାଡୁନସ୍ଥିତ ୱାଇଲଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଇ ଦିଆଯାଇଛି ।