ବନ୍ୟା ଯୋଗୁଁ ଜଗତସିଂହପୁରରେ ବନ୍ଦ ହେଲା ସ୍କୁଲ : ସମସ୍ତ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଜିଲ୍ଲାପାଳଙ୍କ ଚିଠି

123

କନକ ବ୍ୟୁରୋ : ବନ୍ୟା ଯୋଗୁଁ ଜଗତସିଂହପୁରରେ ବନ୍ଦ ହେଲା ସ୍କୁଲ । ଆସନ୍ତା ୧୭ ତାରିଖ ଯାଏଁ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଜିଲ୍ଲାପାଳ ଚିଠି ଲେଖି ଅବଗତ କରାଇଛନ୍ତି । ବନ୍ୟାପାଣି ପଶିଯିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସ୍କୁଲ ଆସବାବପତ୍ର ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମଧ୍ୟାହ୍ଣ ଭୋଜନ ସାମଗ୍ରୀ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମହାନଦୀରେ ଜଳସ୍ତର ବଢୁଥିବା ବେଳେ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବା ଆରମ୍ଭ ହୋଇଛି । ସ୍ଥିତିକୁ ଦେଖି ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ । ମହାନଦୀରେ ଜଳସ୍ତର ବଢୁଥିବାରୁ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ନଈକୁଳିଆ ଗାଁର ପାଖାପାଖି ୬୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତିର୍ତ୍ତୋଲ ତଳି ଅଞ୍ଚଳର କୋଲର ଗାଁର-ଗୋପିଆକୁଦ, ତରାଜଙ୍ଗା ଗାଁର-ମୁଣ୍ଡା ସାହି, ତିର୍ତୋଲ ଗାଁର- ମୁଣ୍ଡାସାହି, ମଣିଜଙ୍ଗା ଗାଁର- ଗୌଡସାହି ଓ ସାଆନ୍ତରାପୁର ଗାଁର- ଅନୁପଲା ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ନିକଟସ୍ଥ ସ୍କୁଲରେ ଲୋକଙ୍କୁ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ସେପଟେ କୁଜଙ୍ଗ ବ୍ଲକର ତେରମାଣପୁର ହରିପୁର ଗାଁରୁ ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।