ବନ୍ୟାସ୍ଥିତିର ସମୀକ୍ଷା : ୮ ଦିଗକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; କ’ଣ ଏହି ଦିଗ ?

123

କନକ ବ୍ୟୁରୋ : ବନ୍ୟା ପରସ୍ଥିତିର ସମୀକ୍ଷା ପରେ ୮ଟି ଦିଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

– ଆଗାମୀ ୪୮ଘଣ୍ଟା ଗୁରୁତ୍ୱପୂର୍ଣ୍ଣ
– ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର
– ନଦୀବନ୍ଧ ଗୁଡିକର ସମୀକ୍ଷା
– ନିରବଚ୍ଛିନ୍ନ ଜଳ ଯୋଗାଣ
– ସାମିଲ ହେବେ ପଞ୍ଚାୟତସ୍ତରୀୟ ସଂସ୍ଥା
– ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି ଘୋଷଣା
– ୭ଦିନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
– ରନ୍ଧା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ

ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ନିୟମିତ ଭାବେ ସମୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ରମାଗତ ଭାବେ ବର୍ଷା ଲାଗି ରହିଥିବାରୁ ମହାନଦୀ ଅବବାହିକା ଅଞ୍ଚଳର ୧୦ଟି ଜିଲ୍ଲାରେ ବନ୍ୟା ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ସତର୍କ ରହିବା ସହିତ ବନ୍ୟା ପରିସ୍ଥିତିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ବିପଦସଂକୁଳ ଅଞ୍ଚଳରେ ଥିବା ଲୋକମାନଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରି ସେମାନଙ୍କୁ ଆବଶ୍ୟକ ରିଲିଫ ଓ ମୌଳିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରରେ ସଂପୃକ୍ତ ବିଭାଗମାନେ ଜିଲ୍ଲାଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା ପରିସ୍ଥିତି, ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ଉପସ୍ଥାପନା ରଖି କହିଲେ ଯେ ମହାନଦୀର ଉପର ଓ ତଳମୁଣ୍ଡରେ ବର୍ଷା ହୋଇ ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ଦେଖାଦେଇଛି। ଗତକାଲି ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି ଏବଂ ବର୍ତ୍ତମାନ ୨୬ଟି ଗେଟ୍‌ ଖୋଲା ରହିଛି । କୌଣସି ଅବଶ୍ୟକ ନ ହେଲେ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିବ। ଏହାଦ୍ବାରା ହୀରାକୁଦର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିର ପ୍ରଭାବ ସାମାନ୍ୟ କମିଛି । ୭ଟି ଜିଲ୍ଲାରେ ୯ଟି ଓଡ୍ରାଫ, ୬ଟି ଜିଲ୍ଲାରେ ୯ଟି ଏନଡିଆରଏଫ୍ ଟିମ୍‌, ୪୪ଟି ଅଗ୍ନିଶମ ସେବା ୟୁନିଟ୍‌କୁ ସଜାଗ ରଖାଯାଇଛି । ଆଜି ମହାନଦୀର ମୁଣ୍ଡଳୀ ଠାରେ ୧୧.୭୫ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ ବୋଲି ସେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ସମ୍ବଲପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ସିଏସି କମିଶନରଙ୍କ ସହିତ ପରିସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବରେ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିଛି । କେତେକ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଉଛି ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।