ରାଣା ଦମ୍ପତ୍ତିଙ୍କୁ ମହଙ୍ଗା ପଡିପାରେ କୋର୍ଟ ସର୍ତ୍ତ ଅବମାନନା, ନୋଟିସ ପଠାଇ କୋର୍ଟ ଦେଲେ ଏଭଳି ଚେତାବନୀ

174

କନକ ବ୍ୟୁରୋ : ଦେଶରେ ଚାରିପଟୁ ମହଙ୍ଗାମାଡରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଧାର୍ମିକ ହିଂସା ଉଗ୍ର ହେବାରେ ଲାଗିଛି । ଏହି କ୍ରମରେ ମହାରାଷ୍ଟ୍ର ରାଜନୀତି ବି ସରଗରମ ହୋଇଛି । କିଛିଦିନ ତଳେ ହନୁମାନ ଚାଳିଶା ପଢିବା ନେଇ ହୋଇଥିବା ମାମଲାରେ ମହାରାଷ୍ଟ୍ରର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାଧୀନ ବିଧାୟକ ପତ୍ନୀ ରବି ରାଣା ଜେଲ ଯାଇଥିଲେ ।

୧୩ ଦିନ ଜେଲରେ ରହିବା ପରେ କୋର୍ଟ ତାଙ୍କୁ କିଛି ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ । ହେଲେ ଜାମିନ ପାଇ ଜେଲରୁ ମୁକୁଳିବା ପରେ ରାଣା ଦମ୍ପତ୍ତି କୋର୍ଟଙ୍କ ସର୍ତ୍ତ ଅବମାନନା କରିଥିବାରୁ କୋର୍ଟ ତରଫରୁ ସେମାନଙ୍କୁ ପୁଣି ନୋଟିସ କରାଯାଇଛି । ଏହି ନୋଟିସ କରି କୋର୍ଟ ପଚାରିଛନ୍ତି କି କାହିଁକି ତୁମ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବ ନାହିଁ ।

ଜେଲରୁ ମୁକୁଳିବା ବେଳେ କୋର୍ଟ ଏକ ସର୍ତ୍ତ ରଖିଥିଲା । ଏଥିରେ ମୁଖ୍ୟତ ଥିଲା କି ଏହି ମାମଲା ନେଇ ରବି ଓ ନବନୀତ କୌଣସି ଗଣମାଧ୍ୟମରେ କିଛି କହିପାରିବେ ନାହିଁ । ହେଲେ ସେମାନେ ବାହାରକୁ ବାହାରିବା ପରେ ବାରମ୍ବାର ଗଣମାଧ୍ୟମ ଆଗରେ ବୟାନବାଜି କରିବାରେ ଲାଗିଛନ୍ତି । ଏହାକୁ ନେଇ ମୁମ୍ବାଇ ପୋଲିସ କୋର୍ଟରେ ଏକ ଆବେଦନ କରିଥିଲେ । ଏହି ଆବେଦନକୁ ସ୍ୱୀକାର କରି କୋର୍ଟ ରାଣା ଦମ୍ପତ୍ତିଙ୍କୁ ଏକ ନୋଟିସ ଜାରି କରିଛନ୍ତି ।