କୁସ୍ତି ମହାସଂଘ ନିର୍ବାଚନକୁ ଅବୈଧ ଘୋଷଣା କଲା କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ : ମେ ୭ ରେ ହୋଇଥାନ୍ତା ନିର୍ବାଚନ

144

କନକ ବ୍ୟୁରୋ : ବିବାଦ ଭିତରେ କୁସ୍ତି ମହାସଂଘ ନିର୍ବାଚନକୁ ଅବୈଧ ଘୋଷଣା କଲା କ୍ରୀଡ଼ା ମନ୍ତ୍ରଣାଳୟ । ଆସନ୍ତା ମେ’ ୭ ତାରିଖରେ ହେବାର ଥିଲା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ । ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ ସଂଘକୁ ଏକ ଚିଠି କରାଯାଇଛି । ଆସନ୍ତା ୪୫ ଦିନ ମଧ୍ୟରେ ଆଇଓଏ ଏକ ଆଡ୍ ହକ୍ କମିଟି ଗଠନ କରି ଡବ୍ଲୁଏଫଆଇ ନିର୍ବାଚନ ଶେଷ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସମାନ ଚିଠିରେ ଯୌନ ନିର୍ଯାତନା ମମଲା ବାବଦରେ ଉଲ୍ଲେଖ କରାଯାଇଛି ।

ଡବ୍ଲୁଏଫଆଇର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ରହିଛି । ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ଯାଇଛନ୍ତି କୁସ୍ତିଯୋଦ୍ଧା । ରେସଲିଂ ଫେଡେରସନ ଅଫ ଇଣ୍ଡିଆର ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ କରିଆସୁଛନ୍ତି । ପୋକ୍ସୋ ଆଇନ ଅନୁସାରେ ଦଫା ଲଗାଇବାକୁ ଦାବି କରିଛନ୍ତି କୁସ୍ତିଯୋଦ୍ଧା । ଦୀର୍ଘ ୩ ମାସ ଧରି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଓ କ୍ରୀଡା ମନ୍ତ୍ରାଳୟ ସହ ଯୋଗାଯୋଗ କରିଥିଲେ ବି ଏନେଇ କୁସ୍ତିଯୋଦ୍ଧାଙ୍କୁ କୌଣସି ପ୍ରତିକ୍ରିୟା ମିଳିପାରିନି । ଶେଷରେ ନିରାଶ ହୋଇ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରେସଲର ।