ମଣିପୁର ହିଂସାକୁ ନେଇ ଉତ୍ୟକ୍ତ ସ୍ଥାନୀୟ ଲୋକ, ହଜାର ହଜାର ମହିଳା ଏକାଠି ହୋଇ ସେନା ହାତରୁ ଛଡାଇନେଲେ ୧୨ ଉଗ୍ରବାଦୀ

533

କନକ ବ୍ୟୁରୋ : ମଣିପୁରରେ ଗତ ୨ମାସ ହେବ ହିଂସା ଲାଗି ରହିଛି । ଦୀର୍ଘଦିନର ହିଂସା ପରେ ଏବେ ସ୍ଥାନୀୟ ଲୋକମାନେ ପୋଲିସ ଓ ସେନା ବିରୋଧରେ ମୋର୍ଚ୍ଚ ଖୋଲିଛନ୍ତି । ଏହି କାରଣରୁ ସେନା ଓ ଅର୍ଦ୍ଧସାମରିକ ବଳ ଦ୍ୱାରା ଚଳାଯାଉଥିବା ସର୍ଚ୍ଚ ଅପରେଶନ ବନ୍ଦ କରିବାକୁ ପଡୁଛି । ଏଭଳି ଏକ ମାମଲା ଶନିବାର ଦିନ ଦେଖିବାକୁ ମିଳିଛି । ହଜାର ହଜାର ମହିଳା ଏକତ୍ରିତ ହୋଇ ସୁରକ୍ଷା କର୍ମୀଙ୍କୁ ଗୋଟିଏ ଅଞ୍ଚଳରେ ଘେରି ଯାଇଥିଲେ । ଏହି କାରଣରୁ ସେନା ତାର ସର୍ଚ୍ଚ ଅପରେସନ ବନ୍ଦ କରିବାକୁ ପଡିଥିଲା । ମହିଳାମାନଙ୍କର ଏଭଳି ବିରୋଧ କାରଣରୁ ସେନା ଅଟକ ରଖିଥିବା ୧୨ଜଣ ଉଗ୍ରବାଦୀଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ।

ସୂଚନା ମୁତାବକ ସୁରକ୍ଷାକର୍ମୀମାନେ ଶନିବାର ଦିନ ମଣିପୁର ଇଥମ ଗାଁରେ ସର୍ଚ୍ଚ ଅପରେଶନ କରୁଥିଲେ । ଏହି ଅପରେସନ କ୍ରମରେ କେୱାଇକେଏଲ ବିଦ୍ରୋହୀ ସଂଗଠନର ୧୨ ଜଣ ଉଗ୍ରବାଦୀଙ୍କୁ ସେନା ଧରିଥିଲା । ହେଲେ ହଜାର ହଜାର ମହିଳା ସେନାକୁ ଘେରି ସେମାନଙ୍କୁ ଛାଡି ଦେବାକୁ ବାଧ୍ୟ କରିଥିଲେ । ଶେଷରେ ସେନା ବାଧ୍ୟ ହୋଇ ଏହି ୧୨ଜଣ ଉଗ୍ରବାଦୀଙ୍କୁ ଛାଡି ଦେଇଥିଲେ ।

ଏହାପରେ ସୁରକ୍ଷାକର୍ମୀମାନେ ସେହି ସ୍ଥାନ ଛାଡି ପଳାଇ ଯାଇଥିଲେ । ଭାରତୀୟ ସେନା ମଣିପୁର ଲୋକଙ୍କୁ ଆଇନ ବ୍ୟବସ୍ଥା ଉପରେ ଭରଶା ରଖିବାକୁ ନିବେଦନ କରିଥିଲେ । ସେପଟେ ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମଣିପୁର ହିଂସାକୁ ନେଇ ସଂସଦ ଭବନର ପୁସ୍ତକାଳୟରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।