ରାସ୍ତା ନାହିଁ, ହସ୍ପିଟାଲ ଯିବାକୁ ବାଜିରେ ଲାଗୁଛି ଜୀବନ : ନଈ ଭିତରେ ହଣ୍ଡାରେ ଗର୍ଭବତୀଙ୍କୁ ମେଡିକାଲ ନେଲେ ପରିବାର ଲୋକ

129

କନକ ବ୍ୟୁରୋ : ମଝି ନଈ, ଆଉ ହଣ୍ଡା ଭିତରେ ଗର୍ଭବତୀ । ଆଉ ଲୋକେ ହଣ୍ଡାକୁ ଧରି ଧରି ନଈ ପାର କରାଉଛନ୍ତି । ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେଉଛନ୍ତି ପରିବାର ଲୋକ । କନ୍ଧମାଳରୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି । ଫିରିଙ୍ଗିଆ ବ୍ଲକ ଗୋଛିପଡ଼ାରେ ଜଣେ ୯ ମାସର ଗର୍ଭବତୀଙ୍କୁ ଭରା ନଈକୁ ହଣ୍ଡାରେ ବସାଇ ବିପଜ୍ଜନକ ଭାବେ ପାର କରାଯାଉଛି । ଗାଁ ପର୍ଯ୍ୟନ୍ତ ଆମ୍ବୁଲାନ୍ସ କିମ୍ବା ଗାଡ଼ି ଆସିବା ସମ୍ଭବ ନୁହେଁ ।

ସଲାଗୁଡ଼ା ପଞ୍ଚାୟତର ଡୁମୁରିଗାଟା ପଞ୍ଚାୟତ ମୁଖ୍ୟାଳୟ ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ । ପ୍ରାୟ ୩ କିଲୋମିଟର ଦୂର ବିଦାପାଳୁ ପହଞ୍ଚିଲେ ଅନ୍ୟ ସ୍ଥାନକୁ ଯିବା ପାଇଁ ରାସ୍ତା ମିଳେ । ମଝିରେ ରହିଛି ବାଘ ନଦୀ । ନଦୀ ଉପରେ ବି ପୋଲ ନାହିଁ । ଫଳରେ ଡୁମୁରିଗାଟା ଗାଁ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ରହୁଛି । ସୋମବାର ଏହି ଗ୍ରାମର ବିଷ୍ଣୁ ମଲ୍ଲିକଙ୍କ ସ୍ତ୍ରୀ ଝୁନୁ ମଲ୍ଲିକ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । କିନ୍ତୁ ଡାକ୍ତରଖାନା ନେବେ କେମିତି? ତେଣୁ ନଈ ପାଣିରେ ହଣ୍ଡାରେ ତାଙ୍କୁ ବୋହି ନେଈଥିଲେ ପରିବାର ଲୋକ । ସେଠାରୁ ତାଙ୍କୁ କଟ୍ରିଙ୍ଗିଆ ମାଆ ଗୃହକୁ ନିଆଯାଇଥିଲା ।