କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା, କଂଗ୍ରେସରେ ଯୋଗଦେଲେ ପୂର୍ବ ଉପ ମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ

596

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଭିତରେ ବିଦ୍ରୋହ ଆରମ୍ଭ ହୋଇଯାଇଛି । ଏହି କ୍ରମରେ କର୍ଣ୍ଣାଟକ ସରକାରର ପୂର୍ବ ଉପ ମୁଖ୍ୟମନ୍ତ୍ରୀ ଥିବା ଲକ୍ଷ୍ମଣ ସାବଦୀ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛନ୍ତି । ଏନେଇ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ସୂଚନା ଦେଇଛନ୍ତି । ସୂଚନା ଥାଉକି ଦଳୀୟ କନ୍ଦଳ ଭିତରେ ୧୨ ତାରିଖ ଦିନ ଲକ୍ଷ୍ମଣ ସାବଦୀ ବିଜେପିରୁ ଇସ୍ତଫା ଦେଇଥିଲେ । ତାଙ୍କ ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ବିଜେପି ଟିକେଟ ନଦେବାରୁ ସେ ବିଧାନପରିଷଦ ସଭ୍ୟ ସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର କହିଛନ୍ତି କି ଅନେକ ଆଲୋଚନା ପରେ ଲକ୍ଷ୍ମଣ ସାବଦୀ ବିନା ସର୍ତ୍ତରେ କଂଗ୍ରେସରେ ଯୋଗ ଦେଇଛନ୍ତି । ତାଙ୍କୁ ବିଜେପିରେ ଅପମାନିତ କରାଯାଉଥିଲା । ଏହାସହ ସାବଦୀଙ୍କୁ ଅଥାନୀ ବିଧାନସଭା ଆସନରୁ କଂଗ୍ରେସ ଟିକେଟ ଦେବ ବୋଲି ସିଦ୍ଧରମୈୟା ସ୍ପଷ୍ଟ କରିଛନ୍ତି ।

ସେପଟେ ସାବଦୀ ବିଜେପି ଛାଡିବା ପରେ କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରୂପା କହିଛନ୍ତି କି ବିଜେପି ସାବଦୀଙ୍କୁ ସବୁକିଛି ଦେଇଥିଲା । ହେଲେ ସେ କାହିଁକି ଦୁଖୀ ସେକଥା ତାଙ୍କୁ ଜଣାଥିବ ବୋଲି ୟେଦ୍ଦୁରୂପା କହିଛନ୍ତି ।