ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ଦେଲା ଜେଡିୟୁ, କଂଗ୍ରେସ କହିଲା ନିର୍ବାଚନ ପରେ ନିଷ୍ପତ୍ତି ନେବୁ

372

କନକ ବ୍ୟୁରୋ: ଆଗାମୀ ତଥା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲିଆନ୍ସ (I.N.D.I.A) ପ୍ରସ୍ତୁତିରେ ଲାଗିପଡିଲାଣି । ଏଯାଏଁ ବିରୋଧୀ ୨ଟି ବଡ ବୈଠକ କରିସାରିଲେଣି । ତୃତୀୟ ବୈଠକ ଖୁବଶୀଘ୍ର ମୁମ୍ବାଇରେ କରିବାକୁ ଯାଉଛନ୍ତି । କିନ୍ତୁ ଏସବୁ ଭିତରେ ଆଗକୁ ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ କାହାକୁ ବଛାଯିବ ସେନେଇ କୌଣସି ଘୋଷଣା ହୋଇନାହିଁ । ଅନ୍ୟପଟେ ଜେଡିୟୁ କିନ୍ତୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନୀତିଶଙ୍କ ନାଁ ସାମ୍ନାକୁ ଆଣିଛି । ଲୋକେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଜେଡିୟୁ ନେତା ଜମା ଖାନ୍ ।

ଅନ୍ୟପଟେ କଂଗ୍ରେସ ବରିଷ୍ଠ ନେତା ପିଏଲ ପୁନିଆ କରିଛନ୍ତି ଯେ, ‘ ଏବେ କଂଗ୍ରେସ ନିଜର ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନେତାଙ୍କ ବାବଦରେ କିଛି କହିବାକୁ ଚାହୁଁନି । ଏହି ନିଷ୍ପତ୍ତି ସତ୍ତାରେ ଆସିବା ପରେ ନିଆଯିବ । ବହୁମତ ମିଳିବା ପରେ ସାଂସଦଙ୍କ ଦ୍ୱାରା ମିଳିତ ଭାବେ ଏହି ନିଷ୍ପତ୍ତି ନିଆଯିବ । ତେଣୁ ଏହି ପ୍ରସଙ୍ଗରେ ଏବେ ପ୍ରଶ୍ନ ଉଠାଇବାର କୌଣସି କାରଣ ନାହିଁ । ୨୦୨୪ରେ ସ୍ମୃତି ଇରାନିଙ୍କୁ ଆମେଠୀରେ ପରାଜୟ ବରଣ କରିବାକୁ ପଡିବ ଏବଂ ଇଣ୍ଡିଆନ୍ ଆଲିଆନ୍ସ କିମ୍ବା କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଛିଡା କରାଯିବ, ଯାହାଙ୍କ ବିଜୟ ନିଶ୍ଚିତ’ ବୋଲି ପିଏଲ ପୁନିଆ କହିଛନ୍ତି ।