ଛାତ୍ର ସାଜିଛନ୍ତି ପରୀକ୍ଷା ନିରୀକ୍ଷକ । ଯାଜପୁର ଏନସି କଲେଜରୁ ଆସିଲା ଅବ୍ୟବସ୍ଥାର ଚିତ୍ର । ଅଧ୍ୟକ୍ଷ କହିଲେ ଘଟଣାର ଯାଞ୍ଚ ହେବ ।

90

କନକ ବ୍ୟୁରୋ: ପରୀକ୍ଷା କେନ୍ଦ୍ରରେ ନିରୀକ୍ଷକ ସାଜିଛନ୍ତି କଲେଜ ଛାତ୍ର । ନିଜେ ଯେଉଁ ହଲରେ ବସି ପରୀକ୍ଷା ଦେଉଛନ୍ତି, ସେହି ହଲରେ ନିଜେ ନିରୀକ୍ଷକ ଭାବେ ପରିଚାଳନା କରୁଛନ୍ତି । ଏଭଳି ଖବର ଆସିଛି ଯାଜପୁର ଜିଲ୍ଲା ଏନସି କଲେଜରୁ । କଲେଜ ଛାତ୍ର ପରୀକ୍ଷା ହଲ ଜଗୁଛନ୍ତି । ଗତକାଲି ଏନସି କଲେଜର ବାଣିଜ୍ୟ ବିଭାଗର ଚତୁର୍ଥ ସେମିଷ୍ଟାରର ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେଉଥିଲା । ପରୀକ୍ଷାବେଳେ ଅଧ୍ୟାପକ ବଦଳରେ କଲେଜର କିଛି ଛାତ୍ର ପରୀକ୍ଷା ହଲରେ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ଏଭଳି କି କଲେଜ ୟୁନିଫର୍ମ ପିନ୍ଧି ପରୀକ୍ଷା ପରିଚାଳନା କରିବା ସହ ପ୍ରଶ୍ନ ପତ୍ର ବାଣ୍ଟୁଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି । ଅନ୍ୟ ଏକ ହଲରେ ବିନା ୟୁନିଫର୍ମ ପିନ୍ଧା ଛାତ୍ର ପରୀକ୍ଷା ପରିଚାଳନା କରୁଥିଲେ । ଅଧ୍ୟାପକ ପରୀକ୍ଷା ହଲକୁ ଯାଇ ପରିଚାଳନା କରୁଥିବା ଛାତ୍ରଙ୍କ ସହ ଆଲୋଚନା କରୁଥିବାର ବି ଦେଖିବାକୁ ମିଳିଥିଲା । ସାଧାରଣତଃ ପରୀକ୍ଷା ସମୟରେ ହଲରେ କୌଣସି ଶିକ୍ଷକ କିମ୍ବା ଅଧ୍ୟାପକ ଏହି ଦାୟିତ୍ୱ ତୁଲାଇଥାନ୍ତି । ହେଲେ ଏନସି କଲେଜରେ ଛାତ୍ର ପରୀକ୍ଷା ପରିଚାଳନା କରିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଉଚ୍ଚଶିକ୍ଷାରେ ଅବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।