ଇସ୍ରୋର ସୂର୍ଯ୍ୟ ଅଭିଯାନ ପାଇଁ କାଉଣ୍ଟଡାଉନ ଆରମ୍ଭ : ଆସନ୍ତାକାଲି ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ ମହାକାଶ ଯାନ- ଆଦିତ୍ୟ ଏଲ୍-ୱାନ୍

152

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୂର୍ଯ୍ୟ ଅଭିଯାନ ‘ଆଦିତ୍ୟ-ଏଲ୍-୧’ ଆରମ୍ଭ କରିବାକୁ ଯାଉଛି । ଆଉ ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଇସ୍ରୋର ଏହି ମହତ୍ୱକାଂକ୍ଷୀ ମିଶନକୁ ସେପ୍ଟେମ୍ବର ୨ ତାରିଖରେ ପିଏସଏଲଭି- ଏକ୍ସଏଲ ରକେଟ୍ ସାହାଯ୍ୟରେ ଉତଷେପଣ କରାଯିବ । ଉତଷେପଣର ଠିକ୍ ୧୨୭ ଦିନ ପରେ ଏହା ଏହାର ବିନ୍ଦୁ ଏଲ୍-୧ରେ ପହଂଚିବ । ଏହି ସ୍ଥାନରେ ପହଞ୍ଚିବା ପରେ ଆଦିତ୍ୟ-ଏଲ-୧ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଇବା ଆରମ୍ଭ କରିବ ।

ଉତକ୍ଷେପଣ ପୂର୍ବରୁ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି, ଆଦିତ୍ୟ ଏଲ୍-୧ ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଛି । ଶନିବାର ପୂର୍ବାହ୍ନ ୧୧ଟା ୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଏହି ଅଭିଯାନ ଆରମ୍ଭ ହେବ । ଆଦିତ୍ୟ ଏଲ-୧ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ ପ୍ରତିଶତ ଦୂରତା ଅତିକ୍ରମ କରି ଏଲ-୧ ପଏଣ୍ଟରେ ପହଞ୍ଚିବ । ଏଲ୍-୧ ହେଉଛି ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଦୂରତାର ୧ ପ୍ରତିଶତ, ଅର୍ଥାତ୍ ୧୫ଲକ୍ଷ କିଲୋମିଟର । ତେବେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଦୂରତା ୧୫ କୋଟି କିଲୋମିଟର । ଆଦିତ୍ୟ ଏଲ-୧ ମିଶନ ହେଉଛି ଇସ୍ରୋର ପ୍ରଥମ ମହାକାଶ ମିଶନ, ଯାହା ସୂର୍ଯ୍ୟକୁ ନିରୀକ୍ଷଣ କରିବ ।