୮ ବର୍ଷରେ ୧୮ ଥର ଟ୍ରାନ୍ସଫର: କାଉଡିଆଙ୍କ ଉପରେ ଲାଠି ଚାର୍ଜ କରି ଚର୍ଚ୍ଚାକୁ ଆସିଥିବା IPSଙ୍କର ପୁଣି ବଦଳି

274

କନକ ବ୍ୟୁରୋ: ସବୁବେଳେ ଦବଦବା କରୁଥିବା ଆଇପିଏସ ପ୍ରଭାକର ଚୌଧୁରୀଙ୍କୁ ନେଇ ପୁଣି ଚର୍ଚ୍ଚା । ରବିବାର ବରେଲିରେ ପ୍ରବେଶ ନିଷେଧ କରାଯାଇଥିବା ରାସ୍ତା ପଟେ କାଉଡିଆ ଯାଉଥିବାରୁ ତାଗିଦ୍ କରିଥିଲେ ପ୍ରଭାକର । ହେଲେ ନମାନିବାରୁ ଏହାକୁ ନେଇ ସେହି ଅଞ୍ଚଳରେ ପରିବେଶ ଅଶାନ୍ତ ହୋଇଉଠିଥିଲା । ଫଳରେ କାଉଡିଆଙ୍କ ଉପରେ ଲାଠି ଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆଇପିଏସ୍ ପ୍ରଭାକର । ତାଙ୍କର କଡା ପଦକ୍ଷେପରେ ମାତ୍ର ଅଧଘଣ୍ଟାରେ ଶାନ୍ତ ହୋଇଯାଇଥିଲା ପୁରା ପରିବେଶ । ଅନ୍ୟପଟେ ଘଟଣାର ମାତ୍ର ୪ ଘଣ୍ଟା ପରେ ଆଇପିଏସ୍ ପ୍ରଭାକରଙ୍କ ପାଖରେ ଆସି ପହଞ୍ଚିଥିଲା ଟ୍ରାନ୍ସଫର ଅର୍ଡର । ତାଙ୍କୁ ୩୨ ତମ ବାହିନୀ ପିଏସିର ସେନାନାୟକ ଭାବେ ନିଯୁକ୍ତ କରିଦିଆଗଲା ।

ତେବେ ୨୦୧୦ ବ୍ୟାଚର ଆଇପିଏସ୍ ପ୍ରଭାକର ଚୌଧୁରୀଙ୍କ ପାଇଁ ବଦଳି କିଛି ନୂଆ କଥା ନୁହେଁ । ଗତ ୮ ବର୍ଷ ଭିତରେ ୧୫ ଜିଲ୍ଲାର କମାଣ ସମ୍ଭାଳିଥିବା ପ୍ରଭାକରଙ୍କର ୧୮ ଥର ବଦଳି ହୋଇସାରିଲାଣି । ପ୍ରଭାକର ମୂଳତଃ ଆମ୍ବେଦକର ନଗରର ବାସିନ୍ଦା । ବେସିକ୍ ଟ୍ରେନିଙ୍ଗ ଶେଷ କରିବା ପରେ ସେ ପଥମେ ନୋଏଡାରେ ନିଯୁକ୍ତ ହୋଇଥିଲେ । ଏହାପରେ ତାଙ୍କୁ ଆଡିସନାଲ ଏସପି ପଦରେ ହିଁ ଆଗ୍ରା, ଜୌନପୁର, ଓ ବାରାଣସୀ ପଠାଗଲା । ଏହାପରେ କାନପୁରର ଏସପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଏହିଭଳି ୧୭ଟି ସ୍ଥାନରେ ତାଙ୍କୁ ମୁତୟନ କରାଗଲାଣି । ଯେଉଁଠିକି ଯାଆନ୍ତି ସେଠି ହଇଚଇ ସୃଷ୍ଟି ହୁଏ, ତାଙ୍କୁ ହଟାଇବା ପାଇଁ ଲୋକେ ଲାଗିପଡନ୍ତି । ଗୋଟିଏ ସ୍ଥଣନରେ ୬ , ୭ ମାସରୁ ତିଷ୍ଠିବା ତାଙ୍କ ପାଇଁ କଷ୍ଟ । କେବଳ ମେରଟରେ ଅକେଲା ଜିଲ୍ଲାରେ ବର୍ଷକ ପାଇଁ ଏସଏସପି ଭାବେ ରହିଥିଲେ ।