ମୃତ୍ୟୁର ଉପହାର ପଛରେ ଦୁଇ ଅଜ୍ଞାତ ଯୁବକ ! ରେକି କରୁଥିଲେ, ସିମ୍ ବଦଳାଉଥିଲେ । ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ

36

କନକ ବ୍ୟୁରୋ : ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ସାମ୍ନାକୁ ଆସିଲା ଦୁଇଟି ଥିଓରୀ । ବିସ୍ଫୋରଣର କିଛିଦିନ ପୂର୍ବରୁ ସହରରେ ରେକି କରୁଥିଲେ ଦୁଇଜଣ ସନ୍ଦିଗ୍ଧ ଯୁବକ । ତେଣୁ ଆଶଙ୍କା କରାଯାଉଛି ରିମୋର୍ଟ ଜରିଆରେ ଏହି ବିସ୍ଫୋରଣ କରିଥାଇପାରନ୍ତି ସଂପୃକ୍ତ ଯୁବକ । ସେପଟେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ମୃତ ସୌମ୍ୟଶେଖରଙ୍କ ଅଜ୍ଞାତ ପ୍ରେମିକା । ଯିଏ ବିବାହର କିଛିଦିନ ପୂର୍ବରୁ ବାପାଙ୍କ ସହ ଆସି ଦେଇଥିଲେ ଧମକ ଚମକ । ତେଣୁ ବିସ୍ଫୋରଣ ପଛରେ ଏମାନଙ୍କ କି ପ୍ରକାର ହାତ ରହିଛି ସେନେଇ ସନ୍ଦେହ ଘନୀଭୂତ ହୋଇଛି । ଆଉ ଘଟଣାର ୪ଦିନ ପରେ ବି କେବଳ ତଦନ୍ତରେ ସୀମିତ ରହିଛି ବଲାଙ୍ଗିର ପୋଲିସର ପଦକ୍ଷେପ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବିସ୍ଫୋରଣର କିଛିଦିନ ପୂର୍ବରୁ ପାଟ୍ଟଣାଗଡ ସହରରେ ଘୁରି ବୁଲୁଥିଲେ ଦୁଇଜଣ ସନ୍ଦିଗ୍ଧ ଯୁବକ । ପୋଲିସର କହିବା ହେଲା ରାୟପୁରରୁ ଫେବ୍ରୁଆରୀ ୧୬ ତାରିଖରେ ପଠାଯାଇଥିଲା ପାର୍ସଲ ବୋମା । ରାୟପୁରରୁ ଆସି ଏହା ୧୯ ତାରିଖ ଅପରାହ୍ନରେ ପହଂଚିଥିଲା ପାଟ୍ଟଣାଗଡରେ । ଆଉ ୨୩ ତାରିଖରେ ପାର୍ସଲ ଖୋଲିବାବେଳେ ଫୁଟିଲା ବୋମା । ୧୯ରୁ ୨୩ ତାରିଖ ଭିତରେ ପିଠିରେ କୋରିଅର ସର୍ଭିସ ବ୍ୟାଗ ପକାଇ ଏକ ସିଡି ଡିଲକ୍ସ ବାଇକରେ ଦୁଇଜଣ ସନ୍ଦିଗ୍ଧ ଯୁବକ ପାଟ୍ଟଣାଗଡ ସହରସାରା ଘୁରି ବୁଲୁଥିବା କିଛି ଲୋକ ଦେଖିଛନ୍ତି । ତେଣୁ ବିସ୍ଫୋରଣର ତୀବ୍ରତା ଓ ଏକ ନିର୍ଦ୍ଦିଷ୍ଟ ସମୟରେ ବୋମା ଫୁଟିଥିବାରୁ ରିମୋର୍ଟ ଦ୍ୱାରା ଏହି ବିସ୍ଫୋରଣ କରାଯାଇଥିବା ସମ୍ଭାବନାକୁ ମଧ୍ୟ ଏଡାଇ ହେବନାହିଁ ।

blastଆଉ ଏକ ସୂଚନା ଅନୁସାରେ ରାୟପୁରରେ ଇଂଟର୍ଣ୍ଣସିପ କରୁଥିଲେ ମୃତ ସୌମ୍ୟଶେଖର । ହେଉଥିବା ଚର୍ଚ୍ଚା ଅନୁସାରେ ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ସଂପର୍କ ଥିଲା ଓ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ସୌମ୍ୟଶେଖରଙ୍କ ବିବାହ ରିମାଙ୍କ ସହ ସ୍ଥିର ହୋଇଥିବା ଜାଣି କିଛିଦିନ ତଳେ ସଂପୃକ୍ତ ଯୁବତୀ ତାଙ୍କ ବାପାଙ୍କ ସହ ସୌମ୍ୟ ଶେଖରଙ୍କ ଘରକୁ ଆସି ଧମକ ଚମକ ଦେଇଥିଲେ । ଏପରିକି ତାଙ୍କ ଝିଅକୁ ପ୍ରତାରିତ କରି ଅନ୍ୟତ୍ର ବାହାହେଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲେ ଯୁବତୀଙ୍କ ବାପା । ତେଣୁ ଏହି ପୁରା ଘଟଣା ପଛରେ ସେହି ଅଜ୍ଞାତ ପ୍ରେମିକାଙ୍କ ଭୂମିକାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ।

ସବୁଠାରୁ ବଡକଥା ହେଉଛି ଗତ ୨୩ ତାରିଖରେ ବିସ୍ଫୋରଣରେ ନବ ବିବାହିତ ବର ଓ ସଂପର୍କୀୟ ଜେଜେମାଙ୍କ ମୃତ୍ୟୁର ୪ଦିନ ପରେ ମଧ୍ୟ ପୋଲିସର ପଦକ୍ଷେପ କେବଳ ତଦନ୍ତରେ ସୀମିତ ରହିଛି । କିଏ, କାହିଁକି ଓ କେଉଁଠାରୁ ପଠାଇଥିଲା ଏହି ପାର୍ସଲ ବୋମା ତାର ଧାର ଧରିପାରୁନି ବଲାଙ୍ଗିର ପୋଲିସ ।