ହନୁମାନ ଜୟନ୍ତୀ, କେଉଁଠି କେମିତି : ପୋଲିସ ଛାଉଣିରେ ସମ୍ବଲପୁର ସହର; ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱରରେ କଡ଼ା ସୁରକ୍ଷା ମଧ୍ୟରେ ଶୋଭାଯାତ୍ରା

515

କନକ ବ୍ୟୁରୋ : ମହାବିଷୁବ ପଣାସଂକ୍ରାନ୍ତି ପାଇଁ ଉତ୍ସବ ମୁଖର ଗାଁଠୁ ସହର । ଏହା ସହ ଆଜି ହନୁମାନ ଜୟନ୍ତୀ ଥିବାରୁ ବିଭିନ୍ନ ସ୍ଥାନରେ ଥିବା ହନୁମାନ ମନ୍ଦିରରେ ମଧ୍ୟ ବେଶ ଗହଳି ଲାଗିଛି । ଏହି ଅବସରରେ ବ୍ରହ୍ମପୁର ହିଲିପାଟଣା ସ୍ଥିତ ହନୁମାନ ମନ୍ଦିରରେ ସମୂହ ହନୁମାନ ଚାଳିଶା ପାଠ କରୁଛନ୍ତି ଶ୍ରଦ୍ଧାଳୁ । ଆସ୍କାରେ ମଧ୍ୟ ହନୁମାନଙ୍କ ଜୟନ୍ତୀ ବେଡ ଆଡମ୍ବର ଭାବେ ପାଳନ କରାଯାଉଛି ।

ବିଭିନ୍ନ ମନ୍ଦିର ଗୁଡିକରେ ଚାଲିଛି ପୂଜାର୍ଚ୍ଚନା ଆଉ ଶ୍ରଦ୍ଧାଳୁଙ୍କ ଲାଗିଛି ଲମ୍ବା ଲାଇନ୍ । ଅନ୍ୟ ସ୍ଥାନ ଭଳି ରାଉରକେଲାର ବିଭିନ୍ନ ମନ୍ଦିରରେ ଲାଗିଛି ଭିଡ । ବେଶୀ କରି ହନୁମାନ ବାଟିକାରେ ପ୍ରଭୁ ହନୁମାନଙ୍କ ସ୍ୱତନ୍ତ୍ର ଭାବେ ଚାଲିଛି ପୂଜାର୍ଚ୍ଚନା । ସେହିପରି ପୁରୀ ଜିଲ୍ଲା ପିପିଲିରେ ମଧ୍ୟ ହନୁମାନ ଜୟନ୍ତୀ ପାଇଁ ଧୁମଧାମରେ ପ୍ରସ୍ତୁତି ଚାଲିଛି । କଟକରେ ପଞ୍ଚମୁଖୀ ହନୁମାନଙ୍କ ନିକଟରେ ପୂଜାର୍ଚ୍ଚନା ଚାଲିଛି ।

ସୁରକ୍ଷା ଓ ଆଇନ ଶୃଙ୍ଖଳା ଭିତରେ ଅନେକ ସ୍ଥାନରେ ହନୁମାନ ଜୟନ୍ତୀ ପାଳନ ବ୍ୟବସ୍ଥା କରାଯାଇଛି । ସମ୍ବଲପୁର ସହରରେ ୧୪୪ ଧାରା ମଧ୍ୟରେ ଜୟନ୍ତୀ ପାଳନ ପାଇଁ ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଗତକାଲି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ, ଏସପି ଓ ଆଇଜିଙ୍କ ଉପସ୍ଥିତିରେ ଫ୍ଲାଗମାର୍ଚ୍ଚ କରିଛି ପୁଲିସ । ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ଆଜି ୧୪୪ ଧାରା ସତ୍ୱେ ଶୋଭାଯାତ୍ରା ଅନୁଷ୍ଠିତ ହେବ ।

ସେପଟେ କୋରାପୁଟ ଜୟପୁର ଲାଗିଥିବା ୧୪୪ ଧାରା କୋହଳ କରାଯାଇଛି । ଏହାରି ଭିତରେ ହନୁମାନ ଜୟନ୍ତୀ ପାଳନ ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି । ସେହିପରି କେନ୍ଦ୍ରାପଡ଼ାରେ କଡ଼ା ସୁରକ୍ଷା ମଧ୍ୟରେ ଜୟନ୍ତୀ ପାଳନ କରାଯାଉଛି । ବାଲେଶ୍ୱରରେ ମଧ୍ୟ ପୋଲିସ ସୁରକ୍ଷା ମଧ୍ୟରେ ଶୋଭାଯାତ୍ରା ଆୟୋଜ କରାଯାଉଛି । ଭଦ୍ରକରେ ବି କଡ଼ା ସୁରକ୍ଷା ମଧ୍ୟରେ ଜୟନ୍ତୀ ପାଳନ ବ୍ୟବସ୍ଥା ହୋଇଛି ।