ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ, ଆବଶ୍ୟକ ପଡିଲେ ଆଇନରେ ହେବ ସଂଶୋଧନ: ମୁଖ୍ୟମନ୍ତ୍ରୀ

714

କନକ ବ୍ୟୁରୋ: ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ । ଓଡିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ୟ୍ୟ। ଆବଶ୍ୟକ ପଡିଲେ ଆଇନରେ ହେବ ସଂଶୋଧନ। ଆଜି ଲୋକସେବା ଭବନରେ ନିଜ ପ୍ରକୋଷ୍ଠରେ କାର୍ୟ୍ୟ ଆରମ୍ଭ କରିବା ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି , ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ପ୍ରାଥମିକତା ଦିଆଯିବ । ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା, ଅଭିବୃଦ୍ଧି, ସରଂକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ । ତିନୋଟି ଏକାଡେମୀ ତଥା ସାହିତ୍ୟ, ସଙ୍ଗୀତ, ନାଟକ ଓ ଲଳିତ କଳା ଏକାଡେମୀର ପୁନର୍ଗଠନ ଓ କାର୍ୟ୍ୟକ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଓଡ଼ିଶୀ ଗବେଷଣା କେନ୍ଦ୍ରକୁ କ୍ରିୟାଶୀଳ କରାଯିବ ।

ଓଡ଼ିଶାରେ ପଠନ ଅଭ୍ୟାସ ବୃଦ୍ଧି ଓ ଲାଇବ୍ରେରୀ ଆନ୍ଦୋଳନକୁ ବ୍ୟାପକ ଓ ବ୍ୟବସ୍ଥିତ କରାଯିବ ।
ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ଭାଷା ପାଇଁ ଆଧୁନିକ ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାଗ ଉପଯୋଗ ପାଇଁ ବ୍ୟବସ୍ଥା ହେବ । ଓଡ଼ିଆ ଭାଷା ଭବନ ଅସ୍ମିତା ଭବନ ନିର୍ମାଣ କରାଯିବ । ଭାଷା କମିଶନ ଗଠିତ ହେବ । ଓଡ଼ିଆ ଭାଷାରେ ସରକାରୀ କାର୍ୟ୍ୟ ହେବ । ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାରକୁ ବ୍ୟାପକ କରିବାକୁ ଆବଶ୍ୟକ ପଡିଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ ।