କାମ କରୁନି ଟିପଚିହ୍ନ । ପାଖରେ ନାହିଁ ଏଟିଏମ କାର୍ଡ, ବୃଦ୍ଧଙ୍କୁ ମିଳୁନି ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା

100

କନକ ବ୍ୟୁରୋ : ପରିଣତ ବୟସରେ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତାରୁ ବଂଚିତ ୮୦ ବର୍ଷୀୟ ବୃଦ୍ଧ । ବୟସାଧିକ କାରଣରୁ ହାତର ଟିପ ଚିହ୍ନ କାମ କରୁନଥିବା ବେଳେ ପାଖରେ ନାହିଁ ଏଟିଏମ କାର୍ଡ । ତେଣୁ ୭୦୦ଟଙ୍କା ବଦଳରେ ବୃଦ୍ଧଙ୍କୁ ଭତା ବାବଦକୁ ମିଳୁଛି ୫୦୦ଟଙ୍କା । ଆମେ କହୁଛୁ ଢେଙ୍କାନାଳ କାମକ୍ଷାନଗର ଦଶୀପୁର ଗାଁର ବୃଦ୍ଧ ଦାଶରଥି ବାରିକଙ୍କ କଥା । ବୟସ୍କ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥାରେ ୬୦ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ୫୦୦ଟଙ୍କା ଏବଂ ୮୦ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ୭୦୦ଟଙ୍କା ଦିଆଯାଏ । ହେଲେ ଦାଶରଥୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବୟସାଧିକ କାରଣରୁ ଟିପଚିହ୍ନ ମେଳ ଖାଉନାହିଁ, କି ପାଖରେ ଏଟିଏମ କାର୍ଡ ନାହିଁ । ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବା ମଧ୍ୟ ସମ୍ଭବ ହେଉନାହିଁ । ତେଣୁ ୮୦ ବର୍ଷ ପରେ ମଧ୍ୟ ଏହି ଦାଶରଥିଙ୍କୁ ୭ଶହ ବଦଳରେ ୫୦୦ଟଙ୍କା ଭତା ମିଳୁଥିବା ଅଭିଯୋଗ ହୋଇଛି ।

ଝିଅର ବିବାହ ପରେ ଦାଶରଥୀଙ୍କ ସାହାରା କହିବାକୁ ଗଲେ ବୃଦ୍ଧା ପତ୍ନୀ । ରୋଜଗାରର କୌଣସି ଉତ୍ସ ନଥିବା ବେଳେ ଜୀବନ ବଂଚିବା ପାଇଁ ଭତା ୫୦୦ଟଙ୍କା ସମୁଦ୍ରକୁ ଶଙ୍ଖେ । ଏଭଳି ସ୍ଥିତିରେ କେବେ ଭତ୍ତା ସମସ୍ୟା କରି ବିଭାଗୀୟ ବାବୁ ଓ ସ୍ଥାନୀୟ ଜନପ୍ରତିନିଧି ୫ଶହ ବଦଳରେ ୭ଶହ ଟଙ୍କା ଦେବେ ତାକୁ ହିଁ ଅପେକ୍ଷା କରି ରହିଛନ୍ତି ବୃଦ୍ଧ ଦମ୍ପତି ।

ସାମାଜିକ ନ୍ୟାୟ ସୁରକ୍ଷା ଯୋଜନାରେ ପୂର୍ବରୁ ଡିବିଟି ମାଧ୍ୟମରେ ସିଧା ବ୍ୟାଙ୍କ ଖାତାକୁ ଟଙ୍କା ଆସୁଥିବା ବେଳେ ଏବେ ରାଜ୍ୟ ସରକାର ନଗଦ ଟଙ୍କା ଦେବାର ବ୍ୟବସ୍ଥା କରିଛନ୍ତି । ତେଣୁ ଦାଶରଥୀଙ୍କ ଭଳି ଅନେକ ବୃଦ୍ଧ, ବୃଦ୍ଧା ସମସ୍ୟା ଭୋଗୁଥିବାର ଚିତ୍ର ଦେଖିବାକୁ ମିଳୁଛି ।