ମୁଖ୍ୟମନ୍ତ୍ରୀଙ୍କୁ ବି ମାନୁନାହିଁ ପୋଲିସ । ଏଫଆଇଆର ଲେଖିବାକୁ ଦେଉନାହିଁ କାଗଜ କଲମ । ଥାନାବାବୁଙ୍କ ଉପରେ ବର୍ଷିଲେ ଜଗତସିଂହପୁର ବିଧାୟକ

868

କନକ ବ୍ୟୁରୋ: ଜୁନ୍ ୧୫ ତାରିଖରେ ଲୋକଙ୍କୁ ପୋଲିସ୍ ଭଲ ବ୍ୟବହାର କରିବା ପାଇଁ ଡିଜିପିଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ। ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶକୁ ପୋଲିସ୍ କିଭଳି ଅଣଦେଖା କରୁଛି, ତାର ଖବର ଆଜି ଜଗତସିଂହପୁର ଥାନାରୁ ଆସିଛି। ଏଫଆଇଆର ଲେଖିବା ପାଇଁ ଅଭିଯୋଗକାରୀଙ୍କୁ କାଗଜକଲମ ଦିଆଯାଉ ନାହିଁ। ଆଉ ଏକଥା ଜାଣିବା ପରେ ଥାନା ବାବୁଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ।

  • ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପୋଲିସର ଅଣଦେଖା!
  • ଥାନାବାବୁଙ୍କ ଉପରେ ବର୍ଷିଲେ ବିଧାୟକ

ଜଗତସିଂହପୁର ଥାନା ଭିତରେ ବସିଛନ୍ତି ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ । ଆଉ ଥାନାର କାନ୍ଥରେ ଲେଖାଅଛି, “ଜନସାଧାଣ ହେଉଛନ୍ତି ଗଣତନ୍ତ୍ରର ଆସ୍ଥା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ଜଗତସିଂହପୁର ପୋଲିସ ଥାନା ଲୋକଙ୍କ ସେବା ପାଇଁ ଅଛି । ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ଏହି ଥାନାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।”…… ହେଲେ କାନ୍ଥରେ ଲେଖାଥିବା ଏହି ସରକାରୀ ନିର୍ଦ୍ଦେଶକୁ କିନ୍ତୁ ମାନୁ ନାହାନ୍ତି ଥାନାବାବୁ । ଆଉ ସେଥିପାଇଁ ଉତକ୍ଷିପ୍ତ ହୋଇପଡିଛନ୍ତି ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ।

ବିଧାୟକ: ତାଙ୍କୁ କଣ କହିଲେ। କାଗଜ କଲମ ମୁଁ ଆଣିଛି। ଦେଇ ଦେ । ଆପଣଙ୍କର ଯେତେ କାଗଜ, କଲମ ଦରକାର ମୁଁ ଦେବି। ଏଫଆଇଆର ଲେଖିବାକୁ କେଉଁଠି ଘର ଦରକାର ମୁଁ କରିଦେବି । ମୋତେ ଜାଗା ଦେବେ ମୁଁ କରିଦେବି । ଠାକୁର ମୋତେ ସେ କ୍ଷମତା ଦେଇଛନ୍ତି ମୁଁ କରିଦେବି।

ପୋଲିସ: ସାର, ଆସନ୍ତୁ ଭିତରକୁ

ବିଧାୟକ: ମୁଁ ଯିବି ରିସିଭ୍ କରିବା ପରେ ଯିବି

ପୋଲିସ: ସାର, ଆସନ୍ତୁ

ବିଧାୟକ: ନା, ନା, ନା ମୁଁ ରିସିଭ୍ କରିଲା ପରେ ଯିବି । ଶୁଣନ୍ତୁ ଲୋକଙ୍କୁ ଅସମ୍ମାନ ହେଉଛି ସାର। ଜଣେ ବୟଜ୍ୟେଷ୍ଠ ଲୋକ, ରିଟାୟର୍ଡ ଲୋକ, ଚାକିରିଆ ଲୋକ ଆସିଛନ୍ତି। ତାଙ୍କୁ କେମିତି ବ୍ୟବହାର କରୁଛନ୍ତି। ଲୋକ ଡରୁଛନ୍ତି ଆସିବାକୁ। ସରକାର କହୁଛନ୍ତି ଫ୍ରେଣ୍ଡଲି ବ୍ୟବହାର କରିବାକୁ। ଲୋକଙ୍କର ବିଶ୍ବାସ ଆସୁ ପୋଲିସ ଉପରେ। କେସ ଦେବାକୁ ଡରିକି ଆସୁନାହାନ୍ତି ପୋଲିସକୁ। ବାରମ୍ୱାର ଆପଣ ଖରାପ ବ୍ୟବହାର କରୁଛନ୍ତି ।

ବିଧାୟକ: ମୁଁ ରିସିଭ୍ କରିଲା ପରେ ଯିବି । ସେ ମାଡାମଙ୍କୁ ଦେଇ ଦେ, ବାରଣ୍ଡାରରେ ସେଇଠି ଥୋଇ ଦେ

ନିର୍ବାଚନ ପୂର୍ବରୁ ଥାନାରେ ବନ୍ଧୁକ ଜିମା ଦେଇଥିଲେ ସ୍ଥାନୀୟ ବିଧାୟକ । ଏବେ ବନ୍ଧୁକ ନେବା ପାଇଁ ଥାନାକୁ ଆସିଥିବାବେଳେ ଅଭିଯୋଗ ପାଇଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତିର କରୁନି ପୋଲିସ । ଲୋକଙ୍କୁ ଭଲ ବ୍ୟବହାର ଦେଖାଇବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ପୋଲିସର ବ୍ୟବହାରରେ ପରିବର୍ତନ ହୋଇନି । ଅଭିଯୋଗକାରୀଙ୍କୁ ଏଫଆଇଆର ଲେଖିବାକୁ କାଗଜ କଲମ ମଧ୍ୟ ଦେଉନାହିଁ ପୋଲିସ । ଏପରି ଅଭିଯୋଗ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ବିଧାୟକ ଅମରେନ୍ଦ୍ର ଦାସ । ତେଣୁ ସାଙ୍ଗରେ କାଗଜ, କଲମ ଆଣି ଥାନାବାବୁଙ୍କୁ ଦେଇଛନ୍ତି। ଲୋକଙ୍କୁ ବସିବା ପାଇଁ ଜାଗା ଦେବାକୁ ତାଗିଦ କରିଛନ୍ତି ବିଧାୟକ । ନଚେତ ଥାନା ପରିସରରେ କେଉଁଠି ଜାଗା ଅଛି ଦେଖାଇଲେ, ବିଧାୟକ ଘର କରିଦେବେ ବୋଲି ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁନ୍ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପୁଲିସ୍ ମୁଖିଆଙ୍କୁ ଡାକି କହିଥିଲେ, ଅଭିଯୋଗ ନେଇ ଥାନାକୁ ଆସୁଥିବା ଜନତାଙ୍କୁ ପୁଲିସବାବୁ ଭଲ ବ୍ୟବହାର ଦେନ୍ତୁଖା । ରାଜ୍ୟ ଶାସନର ମୁଖିଆଙ୍କ ନିର୍ଦ୍ଦେଶ ସତ୍ୱେ, ପୋଲିସ ନଶୁଣିବା ଓ ସ୍ଥାନୀୟ ବିଧାୟକଙ୍କ ନଜରକୁ ଏହି ଘଟଣା ଆସିବା ପରେ ନିଜେ କାଗଜ କଲମ ନେଇ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।