ମଦ ଦୁର୍ନୀତି ମାମଲା : କେଜ୍ରିୱାଲଙ୍କୁ ସାଢେ ୯ ଘଣ୍ଟା ଜେରା; ୫୬ଟି ପ୍ରଶ୍ନ କଲା ସିବିଆଇ

143

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇର ସାଢ଼େ ୯ ଘଣ୍ଟାର ଜେରା । ସିବିଆଇ ୫୬ଟି ପ୍ରଶ୍ନ କରିଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ କରିଛି ସିବିଆଇ । ସିିବିଆଇ କାର୍ଯ୍ୟାଳୟରୁ କେଜ୍ରିୱାଲ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି- ରାଜନୈତିକ ଉର୍ଦ୍ଦେଶ୍ୟ ରଖି ଷଡ଼ଯନ୍ତ୍ର କରାଯାଇଛି ।

ଦିଲ୍ଲୀ ଓ ପଞ୍ଜାବରେ ଆପ୍ ସରକାର କରୁଥିବା ବିକାଶ କାମକୁ ଅଟକାଇ ଲକ୍ଷ୍ୟରେ କେନ୍ଦ୍ରର ବିଜେପି ସରକାର ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଆମ୍ ଆଦମୀ ପାର୍ଟି ସତ ପ୍ରତିଶତ ସଚ୍ଚୋଟ ଦଳ । ମରିବୁ ପଛେ ଦୁର୍ନୀତି କରିବୁ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏପଟେ ଅରବିନ୍ଦ କେଜରିୱାଲଙ୍କ ସିବିଆଇର ସମନ ନେଇ ତାତିଛନ୍ତି ଆମ ଆଦମୀ ପାର୍ଟି କର୍ମୀ । ସାରା ଦିଲ୍ଲୀ ସମତେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦଳର କର୍ମୀ । ସିବିଆଇ ମୁଖ୍ୟ ଅଫିସ ଆଗରେ ଆପର ବଡ ନେତା ଧାରଣାରେ ବସିଥିଲେ ।

ଏମାନଙ୍କ ମଧ୍ୟରେ ଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ଆପର ବଡ ବଡ ନେତା । ଦିଲ୍ଲୀ ପୁଲିସ ଭଗୱନ୍ତ ମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ବି ସେ ଶୁଣିନଥିଲେ । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆମ ଆଦମୀ ପାର୍ଟିର ନେତା ଓ କର୍ମୀଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତା ଏକପ୍ରକାର ଜାମ ହୋଇଯାଇଥିଲା । ଆନ୍ଦୋଳନରତ କର୍ମୀଙ୍କୁ ପୁଲିସ ହେପାଜତକୁ ନେଇଥିଲା । ଏମାନଙ୍କ ମଧ୍ୟରେ ଦିଲ୍ଲୀ ଓ ପଂଜାବ ସରକାରର କିଛି ମନ୍ତ୍ରୀ ବି ଥିଲେ । ଘଟଣାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଆପ ଓ କଂଗ୍ରେସ ।