ପକ୍ସୋ ବିଚାରପତିଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ : ହତ୍ୟା ଅଭିଯୋଗ ଆଣିଲେ ଜଜଙ୍କ ଭାଇ ଓ ମାଆ; ପତ୍ନୀ ଓ ଶଳାଙ୍କୁ କଲେ ଦାୟୀ

138

କନକ ବ୍ୟୁରୋ : ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତିଙ୍କ ମୃତ୍ୟୁ ଘଟଣାରେ ନୂଆ ଟ୍ୱିଷ୍ଟ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ସ୍ତ୍ରୀ ଓ ଶଳା ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାଆ ଓ ଭାଇ । ଏନେଇ ସେ କଟକ ମରକତନଗର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି । ମାଆ ଓ ଭାଇଙ୍କ ଅଭିଯୋଗ ପରେ ବିଚାରପତିଙ୍କ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି । ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ।

ବୈଷ୍ଣବ ସମ୍ପ୍ରଦାୟରେ ମୃତ ଦେହ କବର ଦେବାର ପ୍ରଥା ରହିଛି । ହେଲେ ପରିବାର ଲୋକଙ୍କୁ ଦୂରରେ ରଖି ପୁରୀରେ ଶେଷକୃତ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି କଟକ ସିଡିଏ ସେକ୍ଟର ୯ ସ୍ଥିତ କ୍ୱାର୍ଟରରୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଦୁଇ ଦିନ ହେବ କୋର୍ଟ ଛୁଟି ଥିବା ବେଳେ ଗତକାଲି ତାଙ୍କ ଷ୍ଟେନୋଙ୍କୁ ଫୋନ୍ କରି ଛୁଟିରେ ରହିବେ ବୋଲି କହିଥିଲେ ବିଚାରପତି ସୁବାସ ବିହାରୀ । ଏହାପୂର୍ବରୁ ବିଚାରପତିଙ୍କ ଶବ ସଂସ୍କାରକୁ ନେଇ ତାଙ୍କ ବାପାଘର ଏବଂ ଶ୍ୱଶୁର ଘର ମଧ୍ୟରେ ବିବାଦ ଦେଖା ଦେଇଥିଲା । ସାନ ଭାଇ ସୁବୋଧ ସଂପର୍କୀୟଙ୍କ ସହ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଗାଁକୁ ଆଣି ଶେଷକୃତ୍ୟ ସଂପନ୍ନ କରିବାକୁ ଚାହିଁଥିଲେ ।

ହେଲେ ଶ୍ୱଶୁର ଘର ଲୋକ ଏହାକୁ ବିରୋଧ କରିବା ସହ ଶବ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ନେଇଥିଲେ । ମୃତ ବିଚାରପତିଙ୍କ ମାଆ ତୁଳସୀ ବିହାରୀ ନିଜ ପୁଅର ମୁହଁ ଦେଖିବାରୁ ବଞ୍ଚିତ ହୋଇଥିବାରୁ ପୈତୃକ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି । କାହିଁକି ବିଚାରପତି ଏଭଳି ନିଷ୍ପତି ନେଲେ ତାହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ ଅଶାନ୍ତି ହୁଏତ କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।