ନୁହରେ ଧାର୍ମିକ ଶୋଭାଯାତ୍ରା ବେଳେ ହିଂସା : ୨ ହୋମଗାର୍ଡ ମୃତ, ଏକାଧିକ ଆହତ; ୧୪୪ ଧାରା ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ

592

କନକ ବ୍ୟୁରୋ : ହରିୟାଣାର ନୁହରେ ଧାର୍ମିକ ଶୋଭାଯାତ୍ରା ବେଳେ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ତେଜିବାରୁ ଦଙ୍ଗା ଭଳି ସ୍ଥିତି ଉପୁଜିଥିଲା । ଯେଉଁଥିରେ ୨ଜଣ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ହରିୟାଣାର ମୁମଲିମବହୁଳ ଅଞ୍ଚଳ ନୁହରେ ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ବ୍ରିଜମଣ୍ଡଳ ଜଳାଭିଷେକ ଯାତ୍ରା ଚାଲିଥିଲା ବେଳେ ହଠାତ୍ ଏହା ଉପରକୁ ପଥର ମାଡ଼ କରିଥିଲେ କିଛି ଯୁବଗୋଷ୍ଠୀ ।

ପରବର୍ତ୍ତୀ ସମୟରେ ଏହା ଭୟଙ୍କର ହିଂସାରେ ପରିଣତ ହୋଇଥିଲା । ଏହି ସଂଘର୍ଷରେ କିଛି କାର ଜାଳି ଯାଇଥିବା ଦେଖିବାକୁ ମିଳିଛି । ହରିୟାଣା ପୋଲିସ ବିଶୃଙ୍ଖଳ ଜନତାକୁ ଘଉଡ଼ାଇବା ପାଇଁ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା । ସେପଟେ ହିଂସା ଜାରି ରହିଥିବା ବେଳେ ଗୁରୁଗ୍ରାମ ଜିଲ୍ଲାର ସୋହ୍ନା ଅଞ୍ଚଳରେ ମଧ୍ୟ ହିଂସା ଉପୁଜିଛି। ବିଶୃଙ୍ଖଳ ଜନତା ୪ଟି ଗାଡ଼ି ଏବଂ ଏକ ଦୋକାନ ଜାଳି ଦେଇଛନ୍ତି। ନୁହରେ ଆନ୍ଦୋଳନରତ ଜନତା ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିବା ଦ୍ବାରା ସ୍ଥିତି ଜଟିଳ ହୋଇଯାଇଥିଲା। ପୁଲିସ ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ବାଷ୍ଫ ପ୍ରୟୋଗ କରିଥିଲା। ହିଂସା ଘଟଣାରେ ୫୦ ଜଣ ଆହତ ହୋଇଛନ୍ତି ।

ତେବେ ବଲ୍ଲଭଗଡ଼ରେ ଜଣେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ଭିଡିଓ ପୋଷ୍ଟ୍‌ ପାଇଁ ଏହି ହିଂସା ହୋଇଥିବା ଜଣାପଡ଼ିଛି। ହିଂସା ଜାରି ରହିଥିବାବେଳେ ଆଜି ଗୁରୁଗ୍ରାମ ନିକଟସ୍ଥ ଏକ ମନ୍ଦିରରେ ମହିଳା ଏବଂ ଶିଶୁଙ୍କ ସମେତ ପ୍ରାୟ ୨୫୦୦ ଲୋକ ଆଶ୍ରୟ ନେଇଛନ୍ତି। ସେମାନେ ଧାର୍ମିକ ଶୋଭାଯାତ୍ରାରେ ସାମିଲ ହେବାପାଇଁ ଆସିଥିଲେ । ତେବେ ହିଂସା ହେବାରୁ ସେମାନେ ପ୍ରାଣ ବିକଳରେ ମନ୍ଦିର ଭିତରକୁ ପଶି ଯାଇଛନ୍ତି । ଗୁରଗାଓଁ ଏବଂ ଫରିଦାବାଦକୁ ମଧ୍ୟ ହିଂସ‌ା ବ୍ୟାପିଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଉକ୍ତ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି । ଦୋଷୀକୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ଏବଂ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି ।

ଶାନ୍ତିରକ୍ଷା ପାଇଁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି । ୧୫ ଅତିରିକ୍ତ ଅର୍ଦ୍ଧସାମରିକ କମ୍ପାନି ଘଟଣାସ୍ଥଳରେ ମୁତୟନ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଆଜି ଗୁରୁଗ୍ରାମ ଓ ଫରିଦାବାଦ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି । ନୁହ ଏବଂ ଗୁରୁଗ୍ରାମ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଏଥିସହିତ ନୁହ ଏବଂ ଫରିଦାବାଦରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।