ଯାଜପୁର କୁସୁମାର ସୌନ୍ଦର୍ଯ୍ୟକରଣକୁ ନେଇ ଉଠିଲା ପ୍ରଶ୍ନ । ଶିଶୁ ଉଦ୍ୟାନରେ ଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ବିବାଦ ।

194

କନକ ବ୍ୟୁରୋ: ଯାଜପୁର ଟାଉନରେ ଥିବା କୁସୁମା ଶିଶୁ ଉଦ୍ୟାନ ସ୍ଥାନରେ ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ବିବାଦ। କୁସୁମା ସୌନ୍ଦର୍ଯ୍ୟକରଣକୁ ନେଇ ଉଠିଛି ପ୍ରଶ୍ନ। କୁସୁମା ଭିତରେ ଥିବା ଶିଶୁ ଉଦ୍ୟାନ, ଶିଶୁ ଓ ଅଭିଭାବକଙ୍କ ପାଇଁ ଆକର୍ଷଣୀୟ ଥିଲା। ହେଲେ ଏହି ଶିଶୁ ଉଦ୍ୟାନକୁ ନଷ୍ଟ କରି ୭ ମାସ କୁସୁମାକୁ ବନ୍ଦ ରଖି ସେହି ସ୍ଥାନରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରାଯାଇଛି। ଏଠାରେ ଏଭଳି ଏକ ବିଳାଶପୂର୍ଣ୍ଣ ବଙ୍ଗଳା କାହିଁକି କରାଗଲା ? କାହା ନିର୍ଦ୍ଦେଶରେ ଏଭଳି ନିର୍ମାଣ କରାଯାଇଛି ? ଏହା ପର୍ଯ୍ୟଟକଙ୍କ ପାଇଁ କିପରି କାମରେ ଆସିବ? ଏନେଇ ପୌରପାଳିକା ପାଖରେ କୌଣସି ଉତ୍ତର ନାହିଁ।

ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ଏହି ବଙ୍ଗଳା ନିର୍ମାଣ କରାଯାଇଥିବା କୁହାଯାଉଛି। ୨୦୧୮ ମାର୍ଚ୍ଚ ୨୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁସୁମାକୁ ଲୋକାର୍ପିତ କରିଥିଲେ। ଏହା ଫୁଲ ବଗିଚା, ଶିଶୁ ଉଦ୍ୟାନ, ବୋଟିଂ ଏବଂ ଭଳିକି ଭଳି ଚିତ୍ରକଳା ଲୋକଙ୍କୁ ଆକୃଷ୍ଟ କରୁଥିଲା। ହେଲେ କୁସୁମାର ସୌନ୍ଦର୍ଯ୍ୟକୁ ନଷ୍ଟ କରାଗଲା। କୁସୁମା କେତେକ ମୁଷ୍ଟିମେୟ ରାଜନେତା ଓ ପ୍ରଶାସକଙ୍କ ଚିତ୍ତ ବିନୋଦନ କେନ୍ଦ୍ର ପାଲଟିଗଲା। ଏବେ ଏହି ବଙ୍ଗଳାରେ ରହିବା ପାଇଁ କେତେ ଟଙ୍କା ଦେବାକୁ ପଡୁଛି? କେଉଁମାନେ ଏଠାରେ ରହିପାରିବେ? ଆଜି ପର୍ଯ୍ୟନ୍ତ ଏଠାରେ କେତେ ଜଣ ରହିଛନ୍ତି? ସେନେଇ ପୌର କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ପ୍ରଶାସନ ସମସ୍ତେ ଚୁପ୍।