ଦିଲ୍ଲୀରେ କରୋନା ସଂକ୍ରମଣ ବଢୁଥିବା ବେଳେ ଆଶ୍ୱାସନା ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ, ଭୟ କରିବାର କୌଣସି ଆବଶ୍ୟକତା ନାହିଁ ।

86

କନକ ବ୍ୟୁରୋ: ଦିଲ୍ଲୀରେ କରୋନା ସଂକ୍ରମଣର ଭୟ ଭିତରେ ଆଶ୍ୱାସନା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆ ସଂକ୍ରମିତଙ୍କଠାରେ ରହୁଛି ସାମାନ୍ୟ ଲକ୍ଷଣ । ଅନେକଙ୍କଠାରେ ଲକ୍ଷଣ ଦେଖାଯାଉନାହିଁ । ତେଣୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । କେଜ୍ରିୱାଲ କହିଛନ୍ତି ଡିସେମ୍ବର ୨୯ରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ହେଲେ ଆକ୍ରାନ୍ତଙ୍କୁ ହସ୍ପିଟାଲ ଯିବାକୁ ପଡ଼ୁନାହିଁ । ଦିଲ୍ଲୀରେ କରୋନା ପାଇଁ ୩୭ ହଜାର ଅକ୍ସିଜେନ୍ ବେଡ୍ ପ୍ରସ୍ତୁତ ହୋଇ ରହିଥିବା ବେଳେ ଏବେ ମାତ୍ର ୮୨ଟି ବେଡରେ ରୋଗୀ ରହିଛନ୍ତି । ତେଣୁ ନୂଆ ସଂକ୍ରମିତଙ୍କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

ସୂଚନାଯୋଗ୍ୟ ଯେ, କରୋନାର ହଟସ୍ପଟ ପାଲଟିଛି ରାଜଧାନୀ ଦିଲ୍ଲୀ । ଓମିକ୍ରନ ଭୂତାଣୁ ଏଠାରେ କରୋନା ସଂକ୍ରମଣକୁ ବ୍ୟାପକ କରିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ କରୁଛି । ଭିଡକୁ ନିୟନ୍ତ୍ରଣ କରି କରୋନା ମାମଲା କମ କରିବାକୁ ଏକାଧିକ କଟକଣା ଲଗାଇଛନ୍ତି ଦିଲ୍ଲୀ ସରକାର । ରାତି ୧୦ରୁ ସକାଳ ୫ ଯାଏ କର୍ଫ୍ୟୁ ସହ ସିନେମା ହଲ, ସ୍ପା, ଜିମ ଆଦିକୁ ବନ୍ଦ କରିଦିଆଯାଇଛି । ୫୦ ପ୍ରତିଶତ କ୍ଷମତାରେ ରେଷ୍ଟୁରାଣ୍ଟ ଓ ବାର ଚଲାଇବାକୁ ଅନୁମତି ମିଳିଛି ।

ଅନ୍ୟପଟେ ଦିଲ୍ଲୀ ମେଟ୍ରୋ ଓ ବସରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ରହିଛି । ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ଏସବୁ ନିୟମ କେବଳ ଲୋକଙ୍କ ଭିଡ କମାଇବାକୁ । ଲୋକ ଏକାଠି ହେଲେ ସଂକ୍ରମଣ ଅଧିକ ବ୍ୟାପିବ, ସେଥିପାଇଁ ବାରମ୍ବାର ସଚେତନ କରାଯାଉଛି । ନୂଆବର୍ଷରେ ଅଧିକ ଭିଡ ହେବା ଆଶଙ୍କା କରି ଧର୍ମାନୁଷ୍ଠାନ ଗୁଡିକରେ ଭକ୍ତିଙ୍କ ପ୍ରବେଶ ଉପରେ କଟକଣା ରହିଥିଲା । ଗତକାଲି ଦିନ ତମାମ ଲୋକେ କଟକଣାକୁ ମାନି ଥିବା ବେଳେ ସନ୍ଧ୍ୟାରେ ଧର୍ଯ୍ୟଚ୍ୟୁତ ହୋଇଥିଲେ । ଦିନ ଯାକ ଘରେ ରହି ରହି ରାତିରେ ପ୍ରବଳ ସଂଖ୍ୟାରେ ବଜାରକୁ ମାଡି ଆସିଥିଲେ । ସବୁ କଟକଣାକୁ ଫୁ କରି କରୋନାକୁ ଆମନ୍ତ୍ରଣ କରିଥିଲେ ଦିଲ୍ଲୀବାସୀ । ବଜାର ଘାଟରେ ଲାଗିରହିଥିବା ଭିଡକୁ ନିୟନ୍ତ୍ରଣ କରିବା ପୋଲିସ କିମ୍ବା ପ୍ରଶାସନ ପକ୍ଷରେ ସମ୍ଭବ ହୋଇନଥିଲା ।