ବିଜେଡି-ବିଜେପି ମହାଭାରତ ! ନେତାଙ୍କୁ ଛାଡି ଅଫିସରଙ୍କ ପଛରେ ଓଡିଶା ରାଜନୀତି

47

କନକ ବ୍ୟୁରୋ: କୁନ୍ଦୁଲି ଘଟଣାକୁ ନେଇ ମାତ୍ର ଗୋଟିଏ ଦିନ ପୂର୍ବରୁ ନେତାଙ୍କ ଭିତରେ ଚାଲିଥିବା ଲଢ଼େଇ ଅଚାନକ୍ ଆଜି ସରକାରୀ ବାବୁଙ୍କ ଆଡକୁ ବୁଲିଯାଇଥିଲା । ନେତାଙ୍କୁ ଛାଡି ଅଫିସରଙ୍କୁ ନେଇ ଚାଲିଲା ଓଡିଶା ରାଜନୀତି, ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଘର ଉପରେ ଆକ୍ରମଣ କରିଥିଲେ ବିଜେପି କର୍ମୀ । ଏହି ଘଟଣାରେ ବିଜେଡି କହିଛି- ଲାଠି ବଳରେ ଶାସନକୁ ଆସିବାକୁ ଚାହୁଁଛି ବିଜେପି । ଜବାବରେ ବିଜେପି ଅଭିଯୋଗ କରିଛି ବିଜେଡି ପାଇଁ କାମ କରୁଛନ୍ତି ଅଫିସର । ଦେଖନ୍ତୁ-ଆଜି ଦିନର ପୁରା ଘଟଣା କ୍ରମ ।

ସୂଚନା ମୁତାବକ, ଆଜି ସକାଳେ ରାଜଧାନୀରେ ରାଜନୀତିର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ଓଡ଼ିଶା ରାଜନୀତିରେ ଏପରି ଚିତ୍ର କେବେ ବି ଦେଖାଯାଇନଥିଲା । ଅଫିସରଙ୍କୁ ଟାର୍ଗେଟ କରିଥିଲା ଏକ ପ୍ରମୁଖ ରାଜନୈତିକ ଦଳ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରକୁ ଆକ୍ରମଣ କରିଥିଲେ ବିଜେପି କର୍ମୀ । ସରକାରୀ ବାସଭବନକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ । ହାତରେ ବ୍ୟାନର୍ ଓ ପାଣ୍ଡିଆନ୍ ହାୟ ହାୟ ନାରାବାଜିରେ କମ୍ପି ଉଠିଥିଲା ସମଗ୍ର ଅଂଚଳ । ସ୍ଲୋଗାନ ଓ ନାରାବାଜି ଯେତିକି ବଢୁଥିଲା, ସେହି ଅନୁପାତରେ ବଢି ଚାଲିଥିଲା ଉତେଜନା । ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଲା ବେଳକୁ ରାଜଧାନୀ ଛାତି ଉପରେ ଘଟି ସାରିଥିଲା ହାଇଭୋଲଟେଜ୍ ପଲିଟିକାଲ୍ ଡ୍ରାମା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଧସେଇ ପଶିବା ବେଳେ ଘଟଣାସ୍ଥଳରେ ଥିବା ସବ ଇନସପେକ୍ଟର ମାର୍କଣ୍ଡ ମିଶ୍ରଙ୍କୁ ବିଜେପି କର୍ମୀ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲାଇ ମାଷ୍ଟର କ୍ୟାଂଟିନରେ ଛାଡିଦେଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ସଂପୃକ୍ତ ସବ ଇନସପେକ୍ଟର । ସେହିପରି ଆଉ ଜଣେ ସୁରକ୍ଷା କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି ।

ବିଜେପି କର୍ମୀଙ୍କ ଏପରି କାର୍ଯ୍ୟକଳାପ ପରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ପାଣ୍ଡିଆନଙ୍କ ଘର ଉପରେ ଆକ୍ରମଣର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି ଯୁବମୋର୍ଚ୍ଚା । ଗୋଟିଏ ପଟେ ବିଜେଡି ଯୁବମୋର୍ଚ୍ଚାର ବିକ୍ଷୋଭ ଓ ରାଲି, ଅନ୍ୟ ପଟେ ବିଜେପି ବି ଆକ୍ରମଣାତ୍ମକ ମୁଦ୍ରାରେ । ପ୍ରେମ ମିଟ୍ କରି ବିଜେଡି ମୁଖପାତ୍ର ପ୍ରତାପ ଦେବ ଏନେଇ ବିଜେପିର ସ୍ପଷ୍ଟିକରଣ ମାଗିିଛନ୍ତି । ବିଜେପୁର ଉପନିର୍ବାଚନ ବାତିଲ ପାଇଁ ଷଡଯନ୍ତ୍ର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହାର ମଧ୍ୟ ଜବାବ ରଖିଛି ବିଜେପି ।

 

ବିଜେପି-ବିଜେଡି ମୁହାଁମୁହିଁ ହୋଇ ରହିଥିବା ବେଳେ ନିଆଁରେ ଘିଅ ଢାଳିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଘଟଣା ପରେ ସେ ଟ୍ୱିଟ୍ କରି କହିଛନ୍ତି ଲୋକ ଲଗାଇ ତାଙ୍କ ଉପରକୁ ଅଣ୍ଡାମାଡ କରାଯାଇଥିଲା । ସେପଟେ ଘଟଣାକୁ ନିନ୍ଦା କରିଛି ଅମଲା ସଂଘ । ଏହାକୁ ନିନ୍ଦା କରିବା ସହ ଏପରି ଗୁଣ୍ଡାରାଜ ଗ୍ରହଣୀୟ ନୁହେଁ ବୋଲି କହିଛି ଆଇଏଏସ ଓ ଆଇପିଏସ ସଂଘ । ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ଓଏଏସ୍ ସଂଘ । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଓଏଏସ ସଂଘର ସଭାପତି । ଓଡ଼ିଶା କର୍ମଚାରୀ ସଂଗ୍ରାମ ସମିତି ସହ ଅନ୍ୟ ଅମଲା ସଂଘ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି । ତେବେ ପାଣ୍ଡିଆନଙ୍କ ଘରେ ପଶିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ରାଲି, ବିକ୍ଷୋଭ, ପ୍ରେସମିଟ୍ ଓ ଶୋଭାଯାତ୍ରା, ଉଷୁମ କରିଛି ରାଜନୈିତିକ ପାଣିପାଗ ।