ଋଷ-ୟୁକ୍ରେନ ଯୁଦ୍ଧ : ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଚେତାବନୀ; କହିଲେ ୠଷ, ନାଟୋ ଲଢ଼ିଲେ ରହିଛି ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା

355

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କଡ଼ା ଚେତାବନୀ । ବାଇଡେନ୍ କହିଛନ୍ତି, ଋଷ ଯଦି ରାସାୟନିକ ଯୁଦ୍ଧାସ୍ତ୍ର ବ୍ୟବହାର କରେ ସେଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ । ଏହି ଯୁଦ୍ଧରେ ନାଟୋ ମୁକାବିଲା କରୁ ବୋଲି ୟୁକ୍ରେନ୍ ଚାପ ପକାଇ ଆସୁଛି । ହେଲେ ୟୁକ୍ରେନର ଏହି ଦାବି ସହ ବାଇଡେନ୍ ଏକମତ ହୋଇନାହାନ୍ତି । ଏହା ହେଲେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା ରହିଛି । ୟୁକ୍ରେନ୍ ଓ ଋଷ ଜୈବିକ ଏବଂ ରାସାୟନିକ ଯୁଦ୍ଧାସ୍ତ୍ର ବ୍ୟବହାର କରୁଛନ୍ତି ବୋଲି ଋଷିଆ ଅଭିଯୋଗ କରିଛି । ହେଲେ ପାଶ୍ଚତ୍ୟ ଦେଶ ଗୁଡ଼ିକ ପାଲଟା ଅଭିଯୋଗ କରିଛନ୍ତି ।

ସେମାନେ କହିଛନ୍ତି ଏଭଳି ଅଭିଯୋଗ ଆଣି ଋଷ ଏସବୁ ଅସ୍ତ୍ରର ବ୍ୟବହାର କରିପାରେ। ଏହି ଖବର ପରେ ବାଇଡେନ କହିଛନ୍ତି, ଗୁଇନ୍ଦା ସୂଚନା ସଂପର୍କରେ ସେ କିଛି କହୁନାହାନ୍ତି । କିନ୍ତୁ ଋଷ ଯଦି ରସାୟନିକ ଅସ୍ତ୍ର ବ୍ୟବହାର କରେ ତା’ହେଲେ ଏଥିପାଇଁ ସେହି ଦେଶକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ମସ୍କୋ ବିରୋଧରେ ଅଧିକ କଟକଣା ଘୋଷଣା ସମୟରେ ବାଇଡେନ ଏହା କହିଛନ୍ତି ।ଋଷର ଅନୁରୋଧ କ୍ରମେ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହେଉଛି । ୟୁକ୍ରେନରେ ଜୈବିସ୍ତ୍ର ଅସ୍ତ୍ର ନିର୍ମାଣ ସଂପର୍କରେ ଅଭିଯୋଗ କରି ଏହି ବୈଠକ ଋଷ ଡାକିଛି । ବାଇଡେନ ମଧ୍ୟ ଋଷ ସହ ଆମେରିକାର ସ୍ବାଭାବିକ ବାଣିଜ୍ୟ ବନ୍ଦ ପାଇଁ ପଦକ୍ଷେପ ନେଇଛନ୍ତି । ଏହାଦ୍ବାରା ଋଷ ଉପରେ ଅଧିକ ଚାପ ସୃଷ୍ଟି ପାଇଁ ବାଇଡେନ ପ୍ରୟାସ କରିଛନ୍ତି । ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଭଳି ଆମେରିକା ମଧ୍ୟ ୟୁକ୍ରେନକୁ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ଆଣ୍ଟି-ଟ୍ୟାଙ୍କ ମିସାଇଲ ବହୁସଂଖ୍ୟାରେ ପଠାଉଛି । ଏଥିସହିତ ‌‌ଗୁଇନ୍ଦା ତଥ୍ୟର ଆଦାନପ୍ରଦାନ କରୁଛନ୍ତି ।

ତେବେ ବାଇଡେନ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ ଆମେରିକୀୟ ସେନା ୟୁକ୍ରେନରେ ଲଢ଼ିବେ ନାହିଁ । କାରଣ ନାଟୋ ଏବଂ ରୁଷ୍‌ ମଧ୍ୟରେ ସିଧାସଳଖ ଲଢ଼େଇ ଅର୍ଥ ତୃତୀୟ ବିଶ୍ବଯୁଦ୍ଧ । ତେଣୁ ଏଥିରୁ ଆମେ ବିରତ ରହିବା ଆବଶ୍ୟକ ବୋଲି ବାଇଡେନ କହିଛନ୍ତି । ଅନ୍ୟପକ୍ଷରେ ପଶ୍ଚିମ ୟୁକ୍ରେନରେ ଏବେ ଋଷର ଆକ୍ରମଣ ଚଳାଇଛି । ପୂର୍ବ ୟୁକ୍ରେନର ଭୋଲନୋଭାକା ସହରକୁ ଋଷ ସେନା ନିଜ ଦଖଲକୁ ନେଇଛି । କିଭର ଉତ୍ତର ଭାଗରେ ଋଷ ସେନା ଗତ ୨୪ ଘଣ୍ଟା ଭିତରେ ଆଗକୁ ବଢ଼ିଛନ୍ତି । ଏଥିସହିତ ଅନ୍ୟ ଏକ ସେନାଦଳ ସୁମି ନିକଟବର୍ତ୍ତୀ ହୋଇଛନ୍ତି । ଖାରକିଭର ଉପକଣ୍ଠରେ ଋଷ ସେନା ଥିଲେ ମଧ୍ୟ ଏହି ସହରକୁ ବର୍ତ୍ତମାନ ସୁଦ୍ଧା ନିଜ ଅକ୍ତିଆରକୁ ନେଇନାହାନ୍ତି ।