ଏମିତି ବି ଆସେ ମୃତ୍ୟୁ: ଘର ଗେଟରେ ପ୍ରବେଶ ବେଳେ ହାତରେ ଧରିଥିବା ବାଉଁଶ ସାଜିଲା କାଳ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ପାଣି ଫୋଟକା ପରି ଚାଲିଗଲା ଜୀବନ

792

କନକ ବ୍ୟୁରୋ: ୨୨ ସେକେଣ୍ଡର ଏହି ସିସିଟିଭି ଫୁଟେଜରେ ପାଣି ଫୋଟକା ପରି ଜଣେ ଯୁବକର ଜୀବନ ଚାଲିଯାଇଛି। ଯୁବକ ଜଣଙ୍କ ହାତରେ ଧରିଥିଲେ ବାଉଁଶ ବାଡି । ହେଲେ ସେହି ବାଉଁଶ ବାଡିଟି ଏବେ ଜୀବନ ନେଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓଟି ଉତ୍ତରପ୍ରଦେଶର ମହୋବାର। ମଙ୍ଗଳବାର ଅପରାହ୍ନରେ ଏହି ଅଘଟଣ ଘଟିଛି । ଲମ୍ବା ବାଉଁଶଟି ବାଡ଼ିଟି ମୁଣ୍ଡ ଉପରେ ଯାଇଥିବା ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ୍ ଆଘାତରେ ଯୁବକ ଜଣଙ୍କ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ଚନ୍ଦନ ଗ୍ରାମର ୩୫ ବର୍ଷୀୟ ଦେବେନ୍ଦ୍ର । ସେ ତାଙ୍କ ସମ୍ପର୍କୀୟଙ୍କ ଉପସ୍ଥିତିରେ ବାଉଁଶ ବାଡ଼ି ଧରି ଘର ଭିତରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଏହି ସମୟରେ ଘର ଭିତରେ ଅନ୍ୟ ପରିବାର ଲୋକଙ୍କୁ ମଧ୍ୟରୁ କିଏ ପ୍ରସାଦ ତିଆରି ପାଇଁ ବ୍ୟସ୍ତ ଥିଲେ ତ ଆଉ କିଏ ପୂଜା ପାଇଁ । କିନ୍ତୁ ଦେବେନ୍ଦ୍ରଙ୍କ ଏପରି ମୃତ୍ୟୁ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇଛି। ଦେବେନ୍ଦ୍ର ବିଦ୍ୟୁତ ଆଘାତର ଶିକାର ହେବା ପରେ ତଳେ ଖସି ପଡୁଛନ୍ତି। ତାଙ୍କ ମୁଣ୍ଡ ଲୁହା ଗେଟରେ ବାଡେଇ ହେଉଛି ଏବଂ ପାଖରେ ଥିବା ଅନ୍ୟମାନେ ତାଙ୍କୁ ଧରିବାକୁ ଦୌଡ଼ି ଆସିଥିଲେ। ଏହି କିଛି ସେକେଣ୍ଡ ମଧ୍ୟରେ କିନ୍ତୁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଦେବେନ୍ଦ୍ର ତାଙ୍କ ସମ୍ପର୍କୀୟ ଭାଇ ଶୁଭେନ୍ଦ୍ର ସିଂହଙ୍କ ଏକ ଧାର୍ମିକ କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଯଶୋଦା ନଗର ଆସିଥିଲେ। ଏହି ଘଟଣା ଘଟିବା ବେଳକୁ ତାଙ୍କ ପରିବାର ଲୋକେ ମନ୍ଦିର ଯିବାପାଇଁ ପ୍ରସ୍ତୁତି ଚଳାଇଥିଲେ। କିଏ ପ୍ରସାଦ ତିଆରି କରୁଥିବା ବେଳେ ଆଉ କିଏ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ପ୍ରସ୍ତୁତ ହେଉଥିଲେ। ଏହି ସବୁ କାର୍ୟ୍ୟ ଚାଲିଥିବା ବେଳେ ଦେବେନ୍ଦ୍ର ଏକ ବାଉଁଶ ବାଡ଼ି ଆଣି ଏହା ଉପରେ ପତାକା ବାନ୍ଧିବା ପାଇଁ ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ କାମ କରିବାକୁ ଯିବା ପୂର୍ବରୁ ବିଦ୍ୟୁତ୍ ଆଘାତ ପାଇ ପ୍ରାଣ ହରାଇଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ନିକଟରେ ଏହି ଅଞ୍ଚଳରେ ବର୍ଷା ଯୋଗୁଁ ବାଉଁଶ ବାଡ଼ି ଓଦା ହୋଇଯାଇଥିବାରୁ ଏହା ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଘାତ ପାଇଛି। ଏହି ଘଟଣା ପରେ ପରିବାର ଲୋକେ ଦେବେନ୍ଦ୍ରଙ୍କ ହାତ ଗୋଡ଼ ମାଲିସ କରି ତାଙ୍କୁ ସାହାଯ୍ୟ କରିବା ପାଇଁ ଦୌଡ଼ି ଆସିଥିଲେ ଏବଂ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।